ମୌସୁମୀ ବର୍ଷା: ଉପକୂଳ ଶୁଖିଲା

ଭୁବନେଶ୍ୱର,୨୮ା୬(ଅନିଲ ଦାସ)ଗତ ଦୁଇଦିନ ଧରି ରାଜ୍ୟରେ ମୌସୁମୀଜନିତ ବର୍ଷା ଥମିଯାଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅଧାରୁ ଅଧିକ ଜିଲାରେ ବର୍ଷା ନାହିଁ। ଫଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ୧୮ ପ୍ରତିଶତ କମ୍‌ ବର୍ଷା ହୋଇଛି। ସ୍ବାଭାବିକ ଭାବେ ଏହି ସମୟରେ ରାଜ୍ୟରେ ୧୯୨.୩ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୧୬୭.୫ ମିଲିମିଟର। ତେବେ ପାଣିପାଗ ବିଭାଗ ହିସାବ ଏହାକୁ ସ୍ବାଭାବିକ ବର୍ଷା ବୋଲି କହୁଛି। ପାଣିପାଗ ବିଭାଗ ହିସାବ ଯାହା କହୁନା କାହିଁକି ରାଜ୍ୟର ଅଧା ଜିଲାରେ ବର୍ଷାଭାବ ଯୋଗୁ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ରାଜ୍ୟର ୧୬ ଜିଲାରେ ବର୍ଷାଭାବ ଦେଖାଦେଇଛି। ରାୟଗଡ଼ାରେ ସ୍ବାଭାବିକଠାରୁ ୭୦ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ କଳାହାଣ୍ଡି ୬୧, ବଲାଙ୍ଗୀର ୩୦, ବାଲେଶ୍ୱର ୪୪, ଭଦ୍ରକ ୨୪, କଟକ ୩୬, ଗଜପତି ୩୨, ଗଞ୍ଜାମ ୪୦, ଜଗତ୍‌ସିଂହପୁର ୩୭, ଯାଜପୁର ୩୦, କନ୍ଧମାଳ ୫୭, କେନ୍ଦ୍ରାପଡ଼ା ୫୪, ଖୋର୍ଦ୍ଧା ୩୦, ମୟୂରଭଞ୍ଜ ୫୪, ନବରଙ୍ଗପୁର ୪୫, ପୁରୀ ୨୮, ସୁବର୍ଣ୍ଣପୁର ୨୧ ଏବଂ ନୟାଗଡ ଜିଲାରେ ସ୍ବାଭାବିକଠାରୁ ୨୭ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସବୁ ଜିଲାରେ ବର୍ଷା ନ ଥିବାରୁ ଚାଷ କାର୍ଯ୍ୟ ମଧ୍ୟ ଆଗେଇପାରି ନାହିଁ।
ଅନ୍ୟପକ୍ଷରେ ଜୁଲାଇ ୩ ତାରିଖ ଯାଏ ରାଜ୍ୟରେ ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଯୋଗୁ କେଉଁଠି କାଁ ଭାଁ ଅସରାଏ କିମ୍ବା ଦି’ଅସରା ବର୍ଷା ହୋଇପାରେ। ମଙ୍ଗଳବାରଠାରୁ ବର୍ଷା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଢେଙ୍କାନାଳରେ ୨୫ ମିଲିମିଟର ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୧୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟାନ୍ୟ ଭାଗରେ ପାଗ ମେଘୁଆ ରହିଛି।

Share