ମୌସୁମୀ ନିଷ୍କ୍ରିୟ, କମିଲା ବର୍ଷା

ଭୁବନେଶ୍ୱର,୮ା୮(ଅନୁରାଧା ମହାରଣା): ରାଜ୍ୟରେ ବର୍ତ୍ତମାନ ମୌସୁମୀ ନିଷ୍କ୍ରିୟ ରହିଛି। ଏହା ପ୍ରଭାବରେ ତାପମାତ୍ରା ଅଧିକ ରହିବା ସହ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବା ଦ୍ୱାରା ବିଜୁଳି ଘଡ଼ଘଡ଼ି ସହ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କନ୍ଧମାଳ, ବରଗଡ଼, ଅନୁଗୋଳ, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲାର କେତେକ ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହୋଇଛି। ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଅନ୍ୟ କେତେକ ଜିଲାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ପୃକ୍ତ ୧୦ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୯ ତାରିଖରେ ରାଜ୍ୟରେ ବର୍ଷା ପରିମାଣ ଅପେକ୍ଷାକୃତ କମ୍‌ ରହିବ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୦ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେଣୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି। ୧୧ ଓ ୧୨ ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ କୌଣସି ଜିଲାକୁ ଓ୍ବାର୍ନିଂ ଜାରି ହୋଇନାହିଁ।

Share