Categories: ରାଜ୍ୟ

ରାଜ୍ୟର ୨୪ ଜିଲାରେ ପହଞ୍ଚିଲା ମୌସୁମୀ ବାୟୁ, ବାକି ୬ ଜିଲା…

ଭୁବନେଶ଼୍ବର, ୨୧।୦୬: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ଏହାର ପ୍ରଭାବରୁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ରାଜ୍ୟର ୨୪ଟି ଜିଲ୍ଲାକୁ ମୌସୁମୀ ବାୟୁ ଛୁଇଁଥିବା ଜଣାପଡ଼ିଛି । ଅନ୍ୟ ୬ଟି ଜିଲ୍ଲା- ମୟୁରଭଞ୍ଜ, ବାଲେଶ଼୍ବର, ସୁନ୍ଦରଗଡ଼, କେନ୍ଦୁଝର ଏବଂ ଝାରସୁଗୁଡ଼ାରେ ଏପର୍ଯ୍ୟନ୍ତ ମୌସୁମୀ ବାୟୁ ପହଞ୍ଚି ପାରିନାହିଁ । ଏହି ଜିଲାମାନଙ୍କରେ ପାଗ ଅନୁକୂଳ ରହିଥିବାରୁ ଖୁବ୍‌ଶୀଘ୍ର ମୌସୁମୀ ପହଞ୍ଚିବା ନେଇ ଆଶା କରାଯାଉଛି ।

ଅନ୍ୟପଟେ ଦେଶରେ ଦ୍ରୁତଗତିରେ ଅଗ୍ରସର ହେଉଛି ମୌସୁମୀ । ଯାହା ଫଳରେ ବିଭିନ୍ନ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଜଣାପଡ଼ିଛି । ଉତ୍ତର ପ୍ରଦେଶ, କେରଳ, ତଟବର୍ତ୍ତୀ କର୍ଣ୍ଣାଟକ, ଗୋଆରେ ଆଗମୀ ୫ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଖାପାଖି ୨୦ ରାଜ୍ୟରେ ମୌସୁମୀ ପ୍ରଭାବରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ମୁଶଳଧାରାରେ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି ।

ପୂର୍ବ ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନର ପଶ୍ଚିମାଞ୍ଚଳ, ଉତ୍ତର ପ୍ରଦେଶର ଦକ୍ଷିଣାଞ୍ଚଳ, ମଧ୍ୟ ପ୍ରଦେଶର ଉତ୍ତର, ହରିୟାଣା, ଦିଲ୍ଲୀ, ରାଜସ୍ଥାନର ପୂର୍ବାଞ୍ଚଳରେ ଗରମ ଅନୁଭୂତ ହୋଇଛି । ୪୦-୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଛତିଶଗଡ଼, ଓଡ଼ିଶା, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡର କିଛି ଅଞ୍ଚଳରେ ପହଞ୍ଚିଛି । ଆଗାମୀ ୩ରୁ ୪ଦିନ ମଧ୍ୟରେ ଏହା ଗୁଜୁରାଟ, ମହାରାଷ୍ଟ୍ରର ବର୍ଷା ହୋଇନଥିବା ଅଞ୍ଚଳ ଆଦିରେ ପ୍ରବଳ ବର୍ଷା ହେବ । ଏହାଛଡ଼ା ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ଆଗାମୀ ୫ ଦିନ ମଧ୍ୟରେ ବର୍ଷା ହେବ ।

Share