ନୂଆଦିଲ୍ଲୀ,୨୦ା୯: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୨ ଦିନରେ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବାକୁ ଯାଉଛି। ଏନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ମୌସୁମୀ ଫେରିଯିବା ନେଇ ଅନୁକୂଳ ସ୍ଥିତି ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହା ଉତ୍ତରପଶ୍ଚିମ ଭାରତ ଏବଂ କଚ୍ଛ ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଚଳିତ ବର୍ଷ ହାରାହାରିଠାରୁ ୭ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି। ତେବେ ଉତ୍ତରପ୍ରଦେଶ, ବିହାର ସମେତ ୮ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିବାରୁ ଖରିଫ ଉତ୍ପାଦନ ହ୍ରାସ ପାଇବ ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୮୭୨.୭ ମି.ମି. ବର୍ଷା ହୋଇଛି, ଯାହାକି ହାରାହାରିଠାରୁ ୭ ପ୍ରତିଶତ ଅଧିକ।