Categories: ଜାତୀୟ

ଦରଦାମ ବୃଦ୍ଧିକୁ ନେଇ ଘେରିବେ ବିରୋଧୀ

ନୂଆଦିଲ୍ଲୀ,୧୮ା୭: କୋଭିଡ୍‌ କଟକଣା ମଧ୍ୟରେ ସୋମବାର ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବ। ସପ୍ତଦଶ ଲୋକ ସଭାର ଷଷ୍ଠ ଅଧିବେଶନରେ ୨୦ଟି କାର୍ଯ୍ୟଦିବସ ରହିବ। ଲୋକ ସଭା ଓ ରାଜ୍ୟ ସଭାରେ ଗୃହକାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଅଗଷ୍ଟ ୧୩ରେ ଅଧିବେଶନ ଶେଷ ହେବ। ଏଥିପାଇଁ ଉଭୟ ଶାସକ ଓ ବିରୋଧୀ ନିଜ ନିଜ ପ୍ରସ୍ତୁତି ଶେଷ କରିଛନ୍ତି। ସରକାର ୩ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ ଓ ୧୭ ବିଧେୟକ ଗୃହୀତ କରାଇବା ପାଇଁ ଯୋଜନା ରଖିଥିବା ବେଳେ ବିରୋଧୀ ଦଳଗୁଡ଼ିକ ୩ ବିବାଦୀୟ କୃଷି ଆଇନ, ଅକାଶଛୁଆଁ ତେଲ ଦର, ଜରୁରୀ ସାମଗ୍ରୀର ଦରଦାମ ବୃଦ୍ଧି ଏବଂ ମହାମାରୀ କରୋନାର ମୁକାବିଲାରେ ବିଫଳତା ଭଳି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିବେ।
ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପାର୍ଲାମେଣ୍ଟର ୬୬୨ ସଦସ୍ୟ ଏବଂ ୨୦୦ରୁ ଊର୍ଦ୍ଧ୍ୱ ଷ୍ଟାଫ୍‌ ଟିକା ନେଇଛନ୍ତି। କୋଭିଡ୍‌ ପ୍ରୋଟୋକଲ ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଉଭୟ ଉଚ୍ଚ ଓ ନିମ୍ନ ସଦନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଅଧିବେଶନକୁ ସଫଳ କରିବା ପାଇଁ ଶନିବାର ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ସର୍ବଦଳୀୟ ବୈଠକ କରି ସରକାରୀ ଓ ବିରୋଧୀ ଦଳର ନେତାମାନଙ୍କୁ ଅନୁରୋଧ କରିଥିଲେ। ରବିବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ସବୁ ଦଳର ନେତାଙ୍କୁ ଭେଟି ସୁରୁଖୁରୁରେ ଗୃହ ଚଳାଇବାକୁ ସହଯୋଗ ଲୋଡ଼ିଛନ୍ତି।

Share