Categories: ଜାତୀୟ

୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୨।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ଦେଶରେ ଗତ କିଛି ସପ୍ତାହ ହେଲା କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଥିବାରୁ ଏମ୍‌ପିମାନଙ୍କ ସୁରକ୍ଷାକୁ ନେଇ ୨୦ ଦିନ ଅଧିବେଶନ ଚଳାଇବାକୁ ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ) ସୁପାରିସ କରିଛି। ସ୍ବାଭାବିକ ଭାବେ ଜୁଲାଇରୁ ମୌସୁମୀ ଅଧିବେଶନ ଆରମ୍ଭ ହେବା ନେଇ ସରକାର ଆଶାବାଦୀ ଥିବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଥିଲେ। ଅଧିକାଂଶ ଏମ୍‌ପି ଏବଂ କର୍ମଚାରୀ କୋଭିଡ୍‌ ଟିକା ନେଇଥିଲେ ମଧ୍ୟ ଅଧିବେଶନକୁ ସଂକ୍ଷିପ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି। ମହାମାରୀ ଯୋଗୁ ପୂର୍ବର ୩ଟି ଅଧିବେଶନକୁ ସଂକ୍ଷିପ୍ତ କରାଯାଇଥିଲା। ଗତବର୍ଷ ମୌସୁମୀ ଅଧିବେଶନ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ବଜେଟ ଅଧିବେଶନ ମାର୍ଚ୍ଚ ୨୫ରେ ଶେଷ ହୋଇଥିଲା। ପଶ୍ଚିମବଙ୍ଗ ସମେତ ୫ ରାଜ୍ୟ ବିଧାନସଭା ନିର୍ବାଚନ ପରେ ପ୍ରଥମ ପାର୍ଲାମେଣ୍ଟ ଅଧିବେଶନ ବସିବାକୁ ଥିଲାବେଳେ ବିରୋଧୀ ଦଳ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ସମେତ ଅନେକ ପ୍ରସଙ୍ଗ ଉଠାଇବେ।

Share