କୋଭିଡ ପ୍ରୋଟୋକଲ୍‌ ମଧ୍ୟରେ ଚାଲିବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୯।୭: କରୋନା କାଳ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନଳ ଜୁଲାଇ ୧୯ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଏହା ପ୍ରଥମ ସଂସଦ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ସଂସଦ ଅଧିବେଶନରେ ସରକାରଙ୍କ ପକ୍ଷକୁ ମଜଭୂତ କରିବା ଲାଗି ନୂତନ ମନ୍ତ୍ରୀମାନଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ସାବସ୍ତ୍ୟ ହେବ। ଗତ ଥର ଭଳି ଚଳିତ ଥର ମଧ୍ୟ କୋଭିଡ ପ୍ରୋଟୋକଲ୍‌ ମଧ୍ୟରେ ମୌସୁମୀ ଅଧିବେଶନ ଚାଲିବ। ଏନେଇ ଜୁଲାଇ ୭ରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ଅଧିବେଶନ ସମୟରେ ଏମ୍‌ପିଙ୍କ ବସିବାକୁ ନେଇ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଓ ଗୃହର ମହାସଚିବଙ୍କ ସହ ଆଲୋଚନା ହୋଇଥିଲା। ଗତ ଥର ଭଳି ଚଳିତ ଥର ଅଧିବେଶନ ମଧ୍ୟ କରୋନା ପ୍ରୋଟୋକଲ୍‌ ଅନୁସାରେ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ। ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଏମ୍‌ପିଙ୍କ ବସିବାକୁ ନେଇ ଗୁରୁତ୍ୱ ଦିଆଯିବ। ଲୋକ ସଭାର ଏମ୍‌ପିମାନେ ଲୋକ ସଭା ହଲ୍‌ ଓ ଗ୍ୟାଲେରୀରେ ଏବଂ ରାଜ୍ୟ ସଭାର ଏମ୍‌ପିମାନେ ରାଜ୍ୟ ସଭାର ହଲ୍‌ ଓ ଗ୍ୟାଲେରୀରେ ବସିବେ। ଗତଥର ଭଳି ଚଳିତଥର ମଧ୍ୟ ଲୋକ ସଭା ଏବଂ ରାଜ୍ୟ ସଭା ଅଧିବେଶନ ଏକାଠି ଚାଲିବା ନେଇ ସମ୍ଭାବନା ରହିଛି। ତେବେ ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମୌସୁମୀ ଅଧିବେଶନ ପାଇଁ ସମସ୍ତ ଏମ୍‌ପିଙ୍କୁ କରୋନା ଟିକାର ୨ଟି ଡୋଜ ନେବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସୁଚନାଯୋଗ୍ୟ, ଏପର୍ଯ୍ୟନ୍ତ ୨୦୫ଜଣ ରାଜ୍ୟ ସଭା ଏମ୍‌ପି ଦୁଇଟି ଟିକା ନେଇସାରିଥିବା ବେଳେ ୧୬ ଜଣ ଏମ୍‌ପି ପ୍ରଥମ ଡୋଜ ନେଇଛନ୍ତି। ସେହିପରି ସ୍ବାସ୍ଥ୍ୟଗତ କାରଣରୁ ୬ ଜଣ ଏମ୍‌ପି ଏପର୍ଯ୍ୟନ୍ତ ଗୋଟିଏ ବି ଟିକା ନେଇପାରି ନ ଥିବା ଜଣାପଡ଼ିଛି।

Share