ଫେରିଯିବ ମୌସୁମୀ, ଆଉ ୪ଦିନ ଲାଗି ରହିବ ବର୍ଷା

ଭୁବନେଶ୍ୱର,୨୪।୯(ଅନୁରାଧା ମହାରଣା): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛର କିଛି ଅଞ୍ଚଳରୁ ବିଦାୟ ନେଇଛି। ଗତ ୧୭ ତାରିଖ ସୁଦ୍ଧା ମୌସୁମୀ ଫେରିବା ଆରମ୍ଭ କରିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଥିବାବେଳେ ଏଥିରେ ୬ଦିନ ବିଳମ୍ବ ହୋଇଛି। ତେବେ ବିଦାୟୀ ମୌସୁମୀ ରେଖା ଅନୁପଗଡ଼, ବିକାନେର୍‌, ଯୋଧପୁର, ଭୁଜ, ଦ୍ୱାରକା ଦେଇ ଗତି କରୁଛି।

ଅନ୍ୟପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏଥିଯୋଗୁ ସୋମବାର କଟକ-ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତା ୪ଦିନ ବର୍ଷା ଲାଗି ରହିବ। ମଙ୍ଗଳବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ ଓ କନ୍ଧମାଳ ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share