Categories: ଜାତୀୟ

୩ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୩୧ା୫: ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ। ଦେଶରେ ଏଇଠୁ ଆରମ୍ଭ ହୋଇଥାଏ ୪ ମାସିଆ ବର୍ଷାଋତୁ। କିନ୍ତୁ ଏଥର ପୂର୍ବାନୁମାନଠାରୁ ଆଉ ୨ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୩ରେ କେରଳକୁ ଆସିପାରେ। ଏନେଇ ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, କର୍ନାଟକ ଉପକୂଳରେ ସାଇକ୍ଲୋନିକ୍‌ ସର୍କ୍ୟୁଲେଶନ୍‌ ଯୋଗୁ ଦକ୍ଷିଣପଶ୍ଚିମ ମୌସୁମୀ ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହୋଇଛି। ଜୁନ୍‌ ୧ରୁ ଧୀରେ ଧୀରେ ଦକ୍ଷିଣ ପଶ୍ଚିମା ପବନର ଶକ୍ତି ବୃଦ୍ଧି ଘଟିପାରେ। ଏହା କେରଳରେ ବୃଷ୍ଟିପାତ ଗତିବିଧିକୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ଏପରି ହେବା ଦ୍ୱାରା କେରଳକୁ ମୌସୁମୀ ଆସିବା ୩ ତାରିଖ ପର୍ଯ୍ୟନ୍ତ ବିଳମ୍ବିତ ହୋଇପାରେ। ଦକ୍ଷିଣପଶ୍ଚିମା ପବନର ନିମ୍ନସ୍ତର ବଳଶାଳୀ ହେଲେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ବିଭିନ୍ନ ସ୍ଥାନରେ ଆସନ୍ତା ୫ ଦିନ ମଧ୍ୟରେ ବର୍ଷା ହେବ। ପ୍ରକାଶ ଯେ, ଚଳିତ ବର୍ଷ ମେ’ ୩୧ରେ (ପ୍ରାୟ ୫ ଦିନ ଆଗୁଆ କିମ୍ବା ପଛୁଆ) କେରଳକୁ ମୌସୁମୀ ଛୁଇଁବ। ଏଥର ମୌସୁମୀଜନିତ ସ୍ବାଭାବିକ ବର୍ଷା ହେବ ବୋଲି ପୂର୍ବରୁ ଆଇଏମ୍‌ଡି ଆକଳନ କରିଥିଲା

Share