ସୁସ୍ଥ ହେବାର ମାସେ ପରେ ପୁଣି କରୋନା ସଂକ୍ରମଣ

ବେଙ୍ଗାଲୁରୁ, ୭।୯: ସୁସ୍ଥ ହେଉଥିବା କରୋନା ଆକ୍ରାନ୍ତଙ୍କୁ ପୁଣି ଥରେ ସଂକ୍ରମଣର ଭୟ ରହିଛି। ଏହାର ସଦ୍ୟତମ ଘଟଣା ବେଙ୍ଗାଲୁରୁରେ ଘଟିଛି। ସ୍ଥାନୀୟ ଫୋର୍ଟିସ୍‌ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କଠାରେ ମାସେ ପରେ ପୁଣି କରୋନା ସଂକ୍ରମଣ ଲକ୍ଷଣ ପ୍ରକାଶ ପାଇଛି। ମହିଳା ଜଣକର ନମୁନା ଜୁଲାଇରେ ପରୀକ୍ଷା କରାଯାଇଥିଲା। ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ହୋଇଥିବା ନମୁନା ପରୀକ୍ଷା ରିପୋର୍ଟ କରୋନା ନେଗେଟିଭ୍‌ ଆସିଥିଲା। ତାଙ୍କୁ ଘରକୁ ଛାଡ଼ିଦିଆଯାଇଥିଲା। ତେବେ ଅଗଷ୍ଟ ୨୪ରେ ପୁଣିଥରେ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିବା ଫୋର୍ଟିସ୍‌ ହସ୍ପିଟାଲ ସଂକ୍ରାମଣ ରୋଗ ବିଭାଗ ପରାମର୍ଶଦାତା ଡ. ପ୍ରତୀକ ପଟେଲ ସୂଚନା ଦେଇଛନ୍ତି। ମହିଳାଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବା ପରେ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ କରାଯାଇଥିଲା। ଏସବୁର ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ସେ କହିଛନ୍ତି। ମହିଳାଙକକ ଆଣ୍ଟିବଡ଼ି ଟେଷ୍ଟ୍‌ ନେଗେଟିଭ୍‌ ଆସିବାରୁ ସେ ପୁଣି କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇଥିଲା ବୋଲି ପ୍ରତୀକ ପଟେଲ କହିଛନ୍ତି।

Share