ମାସେ ପରେ ପ୍ରେମିକା ଗିରଫ

ଭଦ୍ରକ, ୬ା୧୦(ସନାତନ ରାଉତ):ଭଦ୍ରକ-ଚରମ୍ପା ରେଳ ଷ୍ଟେଶନ ନିକଟ ଏକ ହୋଟେଲରେ ଗତ ସେପ୍ଟେମ୍ବର ୩ ରାତିରେ ରହିଥିବା ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଘଟଣାର ମାସକ ପରେ ଉକ୍ତ ଦିନ ହୋଟେଲରେ ଯୁବକଙ୍କ ସହ ରାତ୍ରିଯାପନ କରିଥିବା ତାଙ୍କ ପ୍ରେମିକାଙ୍କୁ ଟାଉନ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ମୃତ ଦେବରାଜ ସାମଲ(୨୩)ଙ୍କ ଭଉଣୀ ଦେବଶ୍ରୀ ସାମଲଙ୍କ ଅଭିଯୋଗ ଆଧାରରେ ୪ ତାରିଖରେ ଏକ ହତ୍ୟା ମାମଲା (ନଂ.୪୬୪/୨୩) ରୁଜୁ କରାଯାଇଛି। ସେତେବେଳେ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୬୯/୨୩) ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଉକ୍ତ ଯୁବତୀଙ୍କୁ ପୋଲିସ ଆସିଆନା ସୁଧାର ଗୃହରେ ଅଟକ ରଖିଥିଲା। ପରେ ଯୁବତୀ ଜଣକ ଆସିଆନାରୁ ତାଙ୍କ ଘରକୁ ଫେରି ଯାଇଥିଲେ। ଦୁଇଦିନ ତଳେ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟ ଓ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ବନ୍ତ ଥାନା ଅଧୀନ ଟିଲୋ ଟିକିତିରା ଗ୍ରାମର ଇପ୍‌ସିତା ବେହୁରାଙ୍କୁ ବୁଧବାର ଗିରଫ କରାଯାଇଥିବା ଟାଉନ ଥାନାଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି।
ସୂଚନାଯୋଗ୍ୟ, ଭଣ୍ଡାରିପୋଖରୀ ଥାନା ଅଧୀନ ମାଳଦା ଜଳହରିପୁର ଗ୍ରାମର ଦେବରାଜ ସେପ୍ଟେମ୍ବର ୩ରେ ଉକ୍ତ ଯୁବତୀଙ୍କ ସହ ରାତିରେ ହୋଟେଲରେ ରହିଥିଲେ। ସେହି ରାତିରେ ଦେବରାଜ ବେକରେ ଫାଶୀ ଲଗାଇଥିବା ଯୁବତୀ ଜଣକ ନିଦରୁ ଉଠିବା ପରେ ଦେଖି ହୋଟେଲ ମାଲିକଙ୍କ ସହାୟତାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଦେବରାଜଙ୍କୁ ମୃତ ଘୋଷଣା କରିଥିଲେ। ୪ ତାରିଖ ସକାଳେ ଯୁବତୀ ଘଟଣା ବିଷୟରେ ଟାଉନ ଥାନାରେ ଜଣାଇଥିଲେ।

Share