ଶହୀଦ ସ୍ମୃତିିସ୍ତମ୍ଭ ଅବହେଳିତ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ସ୍ବାଧୀନତା ଆନ୍ଦୋଳନରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ଶହୀଦ ସ୍ମୃତିସ୍ତମ୍ଭ ପ୍ରତିଷ୍ଠା ହୋଇଥିଲା। ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ମୃତିସ୍ତମ୍ଭକୁ ଉଦ୍‌ଘାଟନ କରିଥିଲେ। ତେବେ ଏହି ସ୍ମୃତିସ୍ତମ୍ଭ ଗତ କିଛିବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଥିବାରୁ ଏହା ଚାରିପଟେ ଗଛଲତା ମାଡ଼ିଗଲାଣି। ଏହି ସ୍ତମ୍ଭ ନିର୍ମାଣବେଳେ ଦେଶମାତୃକା ପାଇଁ ଜୀବନକୁ ବଳି ଦେଇ ଶହୀଦ ହୋଇଥିବା ବୀରପୁରୁଷଙ୍କ ନାମଫଳକ ଲଗାଇବା ନିମନ୍ତେ ସ୍ଥିର ହୋଇଥିଲା। ତାହା ମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସ୍ତମ୍ଭ ସ୍ମାରକୀ ଚାରିପଟେ ଅନାବନା ଗଛଲତା ସହ ଉପର ଭାଗରେ ବରଗଛ ଉଠିଲାଣି। ଏହା ଭଗ୍ନ ଅବସ୍ଥାରେ ରହିଛି। ସ୍ତମ୍ଭର ଚାରିପଟେ ବୀରତ୍ୱ ଚିହ୍ନ ସ୍ବରୂପ ପାଇକ ବୀରଙ୍କ ଯୋଦ୍ଧା ବେଶ ଚିତ୍ରିତ ହୋଇଥିବାବେଳେ ଏହା ଏବେ ନଷ୍ଟ ହେବାକୁ ବସିଛି। ଶହୀଦ ସ୍ତମ୍ଭ ପୁନରୁଦ୍ଧାର ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ସେହିପରି ବରୁଣେଇ ପାଦଦେଶରେ ମଧ୍ୟ ଅନୁରୂପ ଭାବେ ଶହୀଦ ସ୍ତମ୍ଭ ରହିଛି। ଏହାର ଚାରିପାଖ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଅଳିଆ ଆବର୍ଜନା ମଧ୍ୟରେ ଶହୀଦ ସ୍ତମ୍ଭ ଲୁଚିଯିବାକୁ ବସିଲାଣି। ସ୍ତମ୍ଭ ଉପରେ ମଦ ବୋତଲ ଗଡୁଥିବାବେଳେ ବିଡି, ସିଗାରେଟ ପଡି ରହୁଥିବା ଦେଖିବାକୁ ମିିଳିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହା ଭଗ୍ନ ଅବସ୍ଥାକୁ ଚାଲି ଆସିଲାଣି। ତେବେ ଜିଲା ସଂସ୍କୃତି ଭବନଠାରେ ନିର୍ମିତ ହୋଇଥିବା ଶହୀଦ ସ୍ତମ୍ଭର ପୁନରୁଦ୍ଧାର କିଏ କରିବ ଓ କେଉଁ ବିଭାଗ ଦ୍ୱାରା ଏହା ନିର୍ମାଣ ହୋଇଥିଲା ସେନେଇ ଜିଲା ପ୍ରଶାସନ ନିକଟରେ ଖବର ନ ଥିବା ବେଳେ କେହି ମୁହଁ ଖୋଲିବାକୁ ନାରାଜ। ବରୁଣେଇସ୍ଥିତ ଶହୀଦ ସ୍ତମ୍ଭର ପୁନରୁଦ୍ଧାର କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ବରିଷ୍ଠ ବୁଦ୍ଧିଜୀବୀ ଜ୍ଞାନରଞ୍ଜନ ଦାଶ କହିଛନ୍ତି, ପୂଜ୍ୟପୂଜା ହେଉଛି ଏ ମାଟିର ସ୍ବାଭିମାନ। ଶହୀଦମାନେ ଏ ଦେଶର ଗର୍ବ ଓ ଗୌରବ। ଦେଶ ସ୍ବାଧୀନତା ପଛରେ ଏମାନଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ। ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ଫଳକଟିଏ ମଧ୍ୟ ଆଜିପର୍ଯ୍ୟନ୍ତ ଶହୀଦ ସ୍ତମ୍ଭ ନିକଟରେ ଲାଗିପାରିଲା ନାହିଁ। ଏହା ଏକ ବିଡ଼ମ୍ବନାର ବିଷୟ। ଏନେଇ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଯେଉଁ ଜାତି ନିଜ ପୂର୍ବ ଇତିହାସକୁ ଭୁଲିଯାଏ, ସେ ଜାତିର ପତନ ସୁନିଶ୍ଚିତ। ଆଗାମୀ ପିଢିଙ୍କ ପାଇଁ ଶହୀଦ ସ୍ତମ୍ଭର ସୌନ୍ଦର୍ଯ୍ୟକରଣ, ପୁନରୁଦ୍ଧାର ଜରୁରି ବୋଲି ସେ କହିଛନ୍ତି।