ବର୍ଷ ପରେ ବର୍ଷ ଓଡ଼ିଶାର ଜନସାଧାରଣ ତଥା ପ୍ରବାସୀ ଓଡ଼ିଆମାନେ ଭାରତବର୍ଷର ବିଭିନ୍ନ ସହର, ନଗରରେ ତଥା ଦେଶ ବାହାରେ ମଧ୍ୟ ଉତ୍କଳ ଦିବସ ପାଳନ କରିଆସୁଛନ୍ତି। ଏଭଳି ସମାବେଶରେ ସାଂସ୍କୃତିକ, ସାମାଜିକ ଏବଂ ମନସ୍ତାତ୍ତ୍ୱିକ ଗୁରୁତ୍ୱ ପ୍ରଭୂତ, କହିବାବାହୁଲ୍ୟ। ବର୍ଷ ପରେ ବର୍ଷ ଆମେ ପ୍ରାଚୀନ ଉତ୍କଳର ଐତିହ୍ୟ, ଉତ୍କଳୀୟତାର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥଙ୍କ ଅନନ୍ୟତା ଉପରେ ଆଲୋଚନା କରୁ। ଅବଶ୍ୟ ଭାରତୀୟ ଭୂଖଣ୍ଡର ପ୍ରତ୍ୟେକ ମୁଲକର ନିଜସ୍ବ ଐତିହ୍ୟ ରହିଛି ଏବଂ ସେସବୁର ସ୍ମୃତି ଅତୀବ ମୂଲ୍ୟବାନ୍, ଆମ ଜ୍ଞାନ-ଗନ୍ତାଘର ପାଇଁ ସେସବୁ ଅମ୍ଳାନ ଐଶ୍ୱର୍ଯ୍ୟ। କିନ୍ତୁ ଆଜିର କ୍ରମାଗତ ପରିବର୍ତ୍ତନରତ ସାମୂହିକ ଜୀବନଶୈଳୀ ଉପରେ ସେସବୁର ପ୍ରଭାବିତ କରିବାକୁ ସକ୍ଷମ, ତାହା ଏକ ବିଶେଷ ପ୍ରାସଙ୍ଗିକ ପ୍ରଶ୍ନ ବୋଲି ଆଶା କରେ। ଆପଣମାନେ ସହମତ ହେବେ।
କ୍ରମାଗତ ପରିବର୍ତ୍ତନରତ ଅଭିବ୍ୟକ୍ତିଟି ମୁଁ ଯଥେଷ୍ଟ ସଚେତନ ଭାବେ ବ୍ୟବହାର କରିଛି। ତେବେ ସମୟର ସ୍ବଳ୍ପତା ଦୃଷ୍ଟିରୁ ସେ କ୍ରମାଗତ ପରିବର୍ତ୍ତନରତ ଜୀବନଶୈଳୀ ପ୍ରସଙ୍ଗ ଆପାତତଃ ମୁଲତବୀ ରହୁ; ଧ୍ୟାନ ଦିଆଯାଉ ଆମ ସମସାମୟିକ ଚିନ୍ତା ଓ ଚେତନା ଉପରେ। ଆମ ଚିନ୍ତାର ବହୁ ସ୍ତର ରହିଛି। ସାଧାରଣ ଭାବରେ ଦେଖିଲେ ଅନ୍ତତଃ ଦୁଇଟି ସ୍ତର ନିୟତ ସକ୍ରିୟ। ପ୍ରଥମଟି ସଚେତନ ସ୍ତର- ଯାହା ଆମର ଆଶୁ ପରିସ୍ଥିତି, ଆଶୁ ସମସ୍ୟା, ତୁରନ୍ତ କରଣୀୟ କର୍ମ ଉପରେ ପର୍ଯ୍ୟବସିତ। ଦ୍ୱିତୀୟଟି ଅବଚେତନ ସ୍ତର- ଯାହା ଆଉ ବା ଆଜିର କୌଣସି ଘଟଣା ଉପରେ ପର୍ଯ୍ୟବସିତ ନ ହେଲେ ମଧ୍ୟ ସମସାମୟିକ ପରିସ୍ଥିତି-ସମ୍ଭୂତ। ଦୃଷ୍ଟାନ୍ତ: ପର୍ଯ୍ୟାବରଣଗତ ସଂକଟ, ପ୍ରଦୂଷଣ, ଆତଙ୍କବାଦ, ଦୁର୍ନୀତି, ସାଂପ୍ରଦାୟିକ ବିସମ୍ବାଦ, ପୁତ୍ରକନ୍ୟାଙ୍କ ନିରାପତ୍ତା ଏବଂ ଏମନ୍ତ ବହୁତ ବହୁତ ବ୍ୟାପାରରେ ଭାବନା ତରଙ୍ଗ। ଏହି ମୁହୂର୍ତ୍ତରେ ଆପଣଙ୍କ ପାଇଁ କୌଣସି ଆପଦର କାରଣ ନହେଲେ ମଧ୍ୟ ଆପଣଙ୍କ ଅବଚେତନରେ ଏସବୁ ଏକ ବିମର୍ଶକର ପରିସ୍ଥିତି।
ସାଂପ୍ରତିକ ନିର୍ଭରଯୋଗ୍ୟ ଗବେଷଣା ସାବ୍ୟସ୍ତ କରୁଛି ଭାରତବର୍ଷରେ ବିଷାଦଗ୍ରସ୍ତ ନରନାରୀଙ୍କ ସଂଖ୍ୟା ଅତ୍ୟଧିକ। ଏହା ଅପ୍ରତ୍ୟାଶିତ ତଥା ବାସ୍ତବିକ ଦୁର୍ଭାଗ୍ୟଜନକ। ଏହି ଭାରତରେ ଦିନେ ବିଷାଦ ଏବଂ ତା’ର ନିରାକରଣ ଉପରେ ସର୍ବପ୍ରଥମ ଆଲୋକପାତ ସମ୍ଭବପର ହୋଇଥିଲା। ପୃଥିବୀର ଇତିହାସରେ ସେଭଳି ଦ୍ୱିତୀୟ ଦୃଷ୍ଟାନ୍ତ ନାହିଁ। କେଉଁ ଘଟଣାଟି ମୁଁ ଆପଣମାନଙ୍କୁ ସ୍ମରଣ କରାଇଦେବାକୁ ଚାହୁଁଛି, ଆପଣମାନେ ଅବଶ୍ୟ ଅନୁମାନ କରିପାରୁଥିବେ। ଘୋର ବିଷାଦରେ ଅର୍ଜୁନଙ୍କ ନିମଜ୍ଜନ ଏବଂ ଶ୍ରୀକୃଷ୍ଣଙ୍କ ଉପଦେଶ ଓ ଆଶୀର୍ବାଦ ଯୋଗେ ତହିଁରୁ ତାଙ୍କର ଉତ୍ତରଣ। ସେ କାଳଜୟୀ ସଂଳାପରୁ ଉଦ୍ଗତ ହୋଇଥିଲା ଯୁଗ ଯୁଗ ଧରି ଅଭୀପ୍ସୁ ମାନବାମତ୍ାକୁ ଦିଗ୍ଦର୍ଶନ ଦେଇ ଆସୁଥିବା ସତ୍ୟର ଏକ ସ୍ତବକ। ସେ ସ୍ତବକରୁ ଅନ୍ୟତମ ଏବଂ ପ୍ରାୟ ଦୁଃଶାସନ-ଶକୁନି ଶିବିରର ବିକଟ ଉତ୍ସାହର ଉତ୍ସ ଯେପରି ଅହଂ, ସେମାନଙ୍କୁ ଦମନ କରିବା ଦିଗରେ ଅର୍ଜୁନଙ୍କ ହତୋତ୍ସାହର ଉତ୍ସ ମଧ୍ୟ ସେହିପରି ଅହଂ।
ଆମ ଅନ୍ଧ ଅଜ୍ଞାନତାର ସକ୍ରିୟ ପରିପ୍ରକାଶ ହେଲା ଅହଂ। ବହୁବିଧ ଛଦ୍ମରୂପରେ ତାହା ଆମକୁ କବଳିତ କରିଥାଏ। ଯେଉଁ ଅଚିନ୍ତ୍ୟ, ଅନନ୍ୟ ମହାଶକ୍ତି ଏ ସମଗ୍ର ସୃଷ୍ଟିର ପ୍ରଯୋଜକ, ଯାହାର ସଂକଳ୍ପ ହିଁ ଏକଦା ନିଶ୍ଚେତନ ଏ ଧରିତ୍ରୀ ପୃଷ୍ଠରେ ଚେତନା ରୋପଣ କରି ତା’ର କ୍ରମବିକାଶ କରିଚାଲିଛି , ତାହା ସହ ସଂପର୍କଚ୍ୟୁତି ହିଁ ତା’ର ବିକଳ୍ପ ରୂପେ ଆମ ଭିତରେ ଅହଂର ଆମତ୍ ପ୍ରତିଷ୍ଠାର ରହସ୍ୟ। ଆମ ଅବଚେତନକୁ ଭାରାକ୍ରାନ୍ତ କରି ରଖୁଥିବା ଯେତେଗୁଡ଼ିଏ ଦୁର୍ଯୋଗର ଉଲ୍ଲେଖ କରୁଥିଲି, ସେସବୁର ପଶ୍ଚାତ୍ରେ ହେତୁ ରୂପେ ବିଦ୍ୟମାନ ବ୍ୟକ୍ତିଗତ ତଥା ସାମୂହିକ ଅହଂର ନାନାଦି ଉପଦ୍ରବ: ସ୍ବାର୍ଥପରତା, ନିର୍ଦ୍ଦୟତା, ଧର୍ମାନ୍ଧତା, ଅଳୀକ କ୍ଷମତାଲିପ୍ସା ଇତ୍ୟାଦି। ବ୍ୟାପକ ଇତିହାସ କଥା ଦୂରେଇ ରଖନ୍ତୁ, ଆମରି ଜୀବଦ୍ଦଶାରେ ଏଭଳି ମୂଢ଼ତାର କେତେ ଇମାରତ୍ ଧସି ପଡ଼ିବାର ସାକ୍ଷୀ ଆମେ। ସାମ୍ରାଜ୍ୟବାଦଠୁ ରାଜତନ୍ତ୍ର ଓ ସାମନ୍ତବାଦ, ଅନ୍ତତଃ ଅର୍ଦ୍ଧେକ ଧରାକୁ ସରା ମଣି ତାକୁ ନିଜ ସାମ୍ରାଜ୍ୟ ବନାଇବାର ସ୍ବପ୍ନମତ୍ତ ହିଟଲରଠୁ ଷ୍ଟାଲିନ ବା ମାଓ, ପୁଣି ଅପେକ୍ଷାକୃତ କ୍ଷୁଦ୍ର କ୍ଷେତ୍ରରେ ଅମାପ ବିତ୍ତପତି ବା ରାଜନୈତିକ କ୍ଷମତାଶାଳୀର ‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର’ ବନିବାର ଅସଂଖ୍ୟ ଦୃଷ୍ଟାନ୍ତ ଆମ ସ୍ମୃତିରେ ଜୀବନ୍ତ। ତଥାପି ଆମେ ଆମ ଜୀବନରେ – ବ୍ୟକ୍ତିଗତ ମଣିଷ ରୂପେ ବା ଗୋଷ୍ଠୀଗତ ଭାବେ- ଅହଂର ଭୂମିକା ସମ୍ପର୍କରେ ସଚେତନ ନୋହୁଁ। ଅନ୍ତତଃ ଆମ ଆଚରଣରେ ପରିବର୍ତ୍ତନର ଲକ୍ଷଣ ଅତୀବ ମନ୍ଥର।
ମହାକାଳର ଧୈର୍ଯ୍ୟ ଅବଶ୍ୟ ଅସୀମ। ଆମ ମୋହମୁକ୍ତି ଦିଗରେ ତା’ର ଚେଷ୍ଟା ଅବ୍ୟାହତ ରହିଛି। ଦିନେ ନା ଦିନେ – କେତେ ପୁରୁଷ ପରେ କହିବା ସମ୍ଭବପର ନୁହେଁ- ଆମେ ଅହଂର କାରାଗାରରୁ ଅବଶ୍ୟ ମୁକ୍ତ ହେବା।
କିନ୍ତୁ ବିସ୍ମୟକର କଥା, ଅହଂମୁକ୍ତି ଦିଗରେ ବ୍ୟାକୁଳତା ଓଡ଼ିଶାର ଐତିହ୍ୟର ଏକ ଅନନ୍ୟ ତତ୍ତ୍ୱ। ଦୀର୍ଘ ପ୍ରୟାସ, ସନ୍ଧାନ ଓ ସାଧନା ଅନ୍ତେ ଦିଅଁ ପ୍ରତିଷ୍ଠା କରିବାକୁ ସକ୍ଷମ ହେଲେ ରହସ୍ୟମୟ ନରପତି ଇନ୍ଦ୍ରଦ୍ୟୁମ୍ନ। ତା’ପରେ ଦିଅଁଙ୍କ ପାଖରେ ତାଙ୍କର ପ୍ରଥମ ଓ ଶେଷ ପ୍ରାର୍ଥନା: ସେ ସ୍ବୟଂ ବିସ୍ତୃତ ହେବା ସଙ୍ଗେ ସଙ୍ଗେ ତାଙ୍କ କୃତୀ ସକାଶେ ଗର୍ବ କରିବା ନିମନ୍ତେ, ଅର୍ଥାତ୍ ସେଥିରୁ ଉପକୃତ ହେବା ନିମନ୍ତେ ତାଙ୍କର କେହି ଉତ୍ତରାଧିକାରୀ ଯେପରି ବର୍ତ୍ତି ନ ରହୁ।
ପୃଥିବୀ କିମ୍ବଦନ୍ତୀର ଇତିହାସରେ ଏହାର ତୁଳନୀୟ କିମ୍ବଦନ୍ତୀଟିଏ ନାହିଁ। କିମ୍ବଦନ୍ତୀଟିଏ ତଥ୍ୟ କି ନୁହେଁ ତାହା ଏକ ଭିନ୍ନ ସ୍ତରର ବିଚାର। କିମ୍ବଦନ୍ତୀ ମୂଲ୍ୟବାନ୍ ଯେହେତୁ ସେଥିରେ ପ୍ରାୟତଃ ସନ୍ନିବିଷ୍ଟ ଥାଏ ଏକ ବିଶେଷ ଯୁଗ ଓ ସମୟର ପରିପ୍ରେକ୍ଷୀରେ ଗୋଟିଏ ଜାତିର ମାନସିକତାର ତଥା ତା’ର ଜୀବନ ଦର୍ଶନର ଏକ ଝଲକ। ମନେହୁଏ ଏକଦା କଳିଙ୍ଗ, ପୁଣି ଉଡ୍ର ଉତ୍କଳ ଭାବେ ବିଦିତ ମୁଲକର ସାମୂହିକ ମାନସିକତାରେ ନିଜକୁ ପ୍ରଚ୍ଛନ୍ନ ରଖିବାର ଏହି ମାନସିକତା ବହୁ କାଳ ଧରି ଅବ୍ୟାହତ ଥିଲା। ଆସନ୍ତୁ, ଆମ କଳ୍ପନାର ଆଲୋକରେ ଦେଖିବା ପ୍ରାୟ ଦୁଇ ହଜାର ବର୍ଷ ତଳର କେତୋଟି ଲୋମହର୍ଷକ ଓ ମର୍ମନ୍ତୁଦ ଦୃଶ୍ୟ: ମଗଧର ଉଚ୍ଚାଭିଳାଷୀ ଯୁବକ ନରପତି ଅଶୋକ କଳିଙ୍ଗ ଆକ୍ରମଣ କଲେ, ହେଲା ଭୟାବହ ଯୁଦ୍ଧ। କଳିଙ୍ଗବାସୀ ପ୍ରସ୍ତୁତ ନଥିଲେ, କାରଣ ଇତିହାସ ବା ଲୋକକଥାରେ ପ୍ରାଚୀନ କଳିଙ୍ଗ ଅନ୍ୟ ଯେ କୌଣସି ରାଜ୍ୟ ଆକ୍ରମଣ କରିବାର ଅଭ୍ୟାସ ମିଳେନାହିଁ। ସେ ବାଣିଜ୍ୟ ଅବସରରେ କେବଳ ନିଜର ସାଂସ୍କୃତିକ ପ୍ରଭାବ ବିସ୍ତାର କରୁଥିଲା ଦେଶ ଦେଶାନ୍ତର, ଦ୍ୱୀପ ଦ୍ୱୀପାନ୍ତରରେ। ଅତଏବ ମଗଧର ତାଲିମପ୍ରାପ୍ତ ସେନା ଓ ନିର୍ମମ ସେନାପତିମାନଙ୍କ ସହ ସେମାନେ ଆମତ୍ରକ୍ଷା ସକାଳେ ହିଁ ଲଢିଥିଲେ। ତଥାପି ଆକ୍ରମଣକାରୀ ଅଶୋକ ସେଭଳି ପ୍ରଚଣ୍ଡ ପ୍ରତିରୋଧ ସାମ୍ନା କରିବେ ବୋଲି କଦାପି କଳ୍ପନା କରି ନ ଥିଲେ। ସେଇଥି ସକାଶେ ହିଁ ତାଙ୍କ ବିସ୍ମୟ, ସେଇଥି ସକାଶେ ହିଁ ତାଙ୍କ ଆମତ୍-ସମୀକ୍ଷା ଓ ଅନୁତାପ। କିନ୍ତୁ ଆକ୍ରାନ୍ତ ରାଜ୍ୟ କଳିଙ୍ଗ ବିଧିବଦ୍ଧ ସଙ୍ଗଠିତ ନ ଥିଲେ ଶତ୍ରୁ ଅକ୍ଳେଶରେ ସେ ରାଜ୍ୟକୁ ଆପଣା ସାମ୍ରାଜ୍ୟର ଅଂଶ ବନାଇ, ଶାସନ ନିମନ୍ତେ ନିଜ ପ୍ରତିନିଧିଟିଏ ବସାଇଦେଇ ଲୁଣ୍ଠିତ ଧନରତ୍ନ ଧରି ନିଜ ପ୍ରତିନିଧିଟିଏ ବସାଇଦେଇ ଲୁଣ୍ଠିତ ଧନରତ୍ନ ଧରି ନିଜ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତା। ଭୀଷଣ ସମରର ଆବଶ୍ୟକତା ପଡି ନ ଥାଆନ୍ତା।
ଅତଏବ, ତତ୍କାଳୀନ କଳିଙ୍ଗ ଶତ୍ରୁକୁ ସାମ୍ନା କରିବା ଦିଗରେ ବେଶ ସଙ୍ଗଠିତ ଥିଲା। ଅଥଚ ସେ ସମୟର ଇତିହାସ ଉପରେ ଦୃଷ୍ଟିପାତ କରି ଆମେ ଯଦି ବିଚାର କରିବା, ତେବେ ବିନା ରାଜ୍ୟରେ ଏକ ରାଜ୍ୟ ସଂଗଠିତ ରଖିଥିଲା କିଏ? ଯେଉଁ ଏକ ଲକ୍ଷ ଯୋଦ୍ଧା ରଣଭୂମିରେ ପ୍ରାଣପାତ କଲେ, ଯେଉଁ ଦେଢ଼ଲକ୍ଷ ଯୋଦ୍ଧା ବନ୍ଦି ହେଲେ, ସେମାନଙ୍କ ପ୍ରତିରୋଧ ପ୍ରଚେଷ୍ଟାରେ ନେତୃତ୍ୱ ଦେଇଥିଲେ କିଏ? ସେ ରାଜା ହୁଅନ୍ତୁ ବା କେତେକଙ୍କ ଅନୁମାନ ଅନୁସାରେ କେତେଗୁଡିଏ ‘ଗଣ’ରେ ବିଭକ୍ତ କଳିଙ୍ଗ ଭୂଖଣ୍ଡର ସମ୍ମିଳିତ ସେନାବାହିନୀରେ ସେନାପତି ହୁଅନ୍ତୁ, ସେ ମହାନ୍ ବୀର ଅଜ୍ଞାତ ରହିଗଲେ। ହୁଏତ ଏହା ଆମତ୍ ପ୍ରଚ୍ଛନ୍ନତାର ସାମୂହିକ ମାନସିକତାର ଏକ ଲକ୍ଷଣ।
ଧର୍ମପଦ ଏକ ଐତିହାସିକ ଚରିତ୍ର କି ନୁହେଁ, ତାହା ଆଲୋଚନାର ବିଷୟ। କିନ୍ତୁ ଯାହା କହୁଥିଲି, କିମ୍ବଦନ୍ତୀର ତାତ୍ପର୍ଯ୍ୟ ସ୍ଥୂଳ ବାସ୍ତବତାରେ ନଥାଏ, ଥାଏ ଏକ ସୂକ୍ଷ୍ମ ସ୍ତରର ଜୀବନ ଦର୍ଶନରେ, ଏକ ଅଘୋଷିତ ଆଦର୍ଶରେ। ବାଳକ ଧର୍ମପଦ ଏକ କ୍ଷଣଜନ୍ମା ବିସ୍ମୟକର ପ୍ରତିଭା। ସେ ଆପଣା ଭୂମିକା ତୁଲାଇବା ଅନ୍ତେ ନିରୁଦ୍ଦିଷ୍ଟ। ସେ ଇନ୍ଦ୍ରଦ୍ୟୁମ୍ନ-ଧର୍ମୀ। କୃତି ରହୁ, କିନ୍ତୁ କୃତକର୍ମା ରୂପେ କୃତିତ୍ୱ-ଜନିତ ସାଧୁବାଦ, ସମ୍ଭାଷଣ ସମ୍ମାନ ଗ୍ରହଣ ସେଭଳି ଚରିତ୍ରର ଚେତନା ସକାଶେ ମୋଟେ ସ୍ବସ୍ତିକର ନୁହେଁ। ସେ ଅପସରି ଯାଇଛି ଜନସମାଜ ଆଲିଙ୍ଗନରୁ। ପରବର୍ତ୍ତୀ କାଳରେ ଏକ ବା ଏକାଧିକ ମାମୁଲି କଳ୍ପନାରୁ ମାମୁଲି ମଣିଷର ଗତାନୁଗତିକ ଈର୍ଷାପରାୟଣତା-ଭିତ୍ତିକ କାହାଣୀଟିଏ ଚାଲୁ ହୋଇଯାଇଛି।
ବିବର୍ତ୍ତନ ଧାରାରେ ଅହଂ ଏକଦା ତା’ର ଭୂମିକା ତୁଲାଇଥିଲା। ସେ ପର୍ଯ୍ୟାୟ ସମାପ୍ତ। (” Ego was the heler, ego is the bar”- Sri Aurobindo) ଭବିଷ୍ୟତର ମଣିଷ ବ୍ୟକ୍ତିଗତ ତଥା ସାମୂହିକ ଅହଂରୁ ଉତ୍ତୀର୍ଣ୍ଣ ହେବା ଅନିବାର୍ଯ୍ୟ। ତେବେ ସେ ଭବିଷ୍ୟତର ଦୂରତା କେତେ, ଅହଂ-ପ୍ରଣୋଦିତ ଆହୁରି କେତେ ସଂଘର୍ଷ, କେତେ ବିଭୀଷିକା, କେତେ ପ୍ରହସନ ପରେ ମାନବ-ମାନସର ମୋହମୁକ୍ତି ଚୂଡ଼ାନ୍ତ ହେବ ଏବଂ ସେ ଭବିଷ୍ୟତ ହେବ ବର୍ତ୍ତମାନରେ ପରିଣତ, ତାହାର ଆକଳନ ସମ୍ଭବପର ନୁହେଁ। କିନ୍ତୁ ଉତ୍କଳୀୟ ସାମାଜିକ ଚେତନା ବେଶ୍ କିଛି ଶତାବ୍ଦୀ ପର୍ଯ୍ୟନ୍ତ ଅହଂ-ରହିତ ରହିପାରିବାରେ ଆଂଶିକ ସାଫଲ୍ୟ ଲାଭ କରିଥିଲା ବୋଲି ବିଶ୍ୱାସ ହୁଏ।
ପ୍ରଥମରେ ଯାହା କହୁଥିଲି, ଆଜି ଏକବିଂଶ ଶତାବ୍ଦୀରେ ପ୍ରତ୍ୟେକ ଦେଶର ବାତାବରଣ, ଧ୍ୟାନ ଧାରଣା, ଆବିଷ୍କାର, ଉଦ୍ଭାବନ, ସାହିତ୍ୟ-ସଂସ୍କୃତିର ପ୍ରଗତି ବା ଦୁର୍ଗତି, ଏପରିକି ସ୍ଥୂଳ ଆଚାର ବ୍ୟବହାର ଓ ବେଶଭୂଷାର ସୁବିକାଶ ଓ କୁବିକାଶ ଅନ୍ୟ ସବୁ ଦେଶର ଜୀବନ ଶୈଳୀକୁ ପ୍ରଭାବିତ କରିବା ଅନିବାର୍ଯ୍ୟ। ଆଧୁନିକ କ୍ଷିପ୍ରଗତି ଗମନାଗମନ ଓ ବୈଦ୍ୟୁତିକ ଆଦାନପ୍ରଦାନ ବ୍ୟବସ୍ଥାରୁ କେହି ପଛକୁ ଫେରିଯାଇପାରିବେ ନାହିଁ। କ୍ରମେ ପ୍ରତ୍ୟେକ ପ୍ରାଚୀନ ସଭ୍ୟତା-ସମୃଦ୍ଧ ଜାତିର ନିଜସ୍ବ ବୈଶିଷ୍ଟ୍ୟ ବିସ୍ତୃତ ହୋଇ ଆସୁଛି ଅଥବା କେବଳ ମାତ୍ର ପାଠ୍ୟପୁସ୍ତକ ଓ ଗବେଷଣା ଅଥବା ସରକାର ଆୟୋଜିତ ପ୍ରଦର୍ଶନୀରେ ସୀମିତ ରହୁଛି। ତେବେ ଗୋଟାଏ ଜାତିର ପ୍ରଗାଢ଼ ଚେତନାଗତ ବୈଶିଷ୍ଟ୍ୟ ବିଲୁପ୍ତ ହୁଏ ନାହିଁ; ତାହା ଅବଚେତନକୁ ଚାଲିଯାଏ ଅଥବା ମୂର୍ଚ୍ଛିତ ଅବସ୍ଥାରେ ରହେ। ଆମେ ସେ ସମ୍ପର୍କରେ ସଚେତନ ରହିବା ଶୁଭଙ୍କର। ଅହଂ-ବିଲୋପନ ଦିଗରେ ଉଦ୍ଦିଷ୍ଟ ଏକ ଅଭିଜାତ ନମ୍ରତାବୋଧ ଥିଲା ଉତ୍କଳୀୟ ଐତିହ୍ୟର ଅନ୍ତରଙ୍ଗ ବୈଶିଷ୍ଟ୍ୟ। ଉତ୍କଳ ଦିବସ ପାଳନ ଅବସରରେ ଆମ ଅତୀତର ଏହିଭଳି କେତେକ ବୈଶିଷ୍ଟ୍ୟ ଉପରେ ଯତ୍କିଞ୍ଚତ୍ତ ଗୁରୁତ୍ୱ ଦେଲେ ଉତ୍ସବ ଏକ ସୁନ୍ଦର ଆଭିମୁଖ୍ୟ ଉପସ୍ଥାପନ କରିପାରିବ।
[୧୮ ଜୁନ୍, ୨୦୧୭ରେ ଚେନ୍ନାଇସ୍ଥିତ ଓଡ଼ିଆ ସମାଜ “The Utkal Association of Madras” ଦ୍ୱାରା ଅନୁଷ୍ଠିତ ଉତ୍କଳ ଦିବସ ସମାରୋହରେ ମୁଖ୍ୟ ଅତିଥିରୂପେ ଲେଖକ ଦେଇଥିବା ଭାଷଣର ମୁଖ୍ୟାଂଶ। ‘ସ୍ମୃତି ବିସ୍ମୃତିର ଲୁଚୁକାଳି ଏବଂ ସପ୍ତଦଶ ସନ୍ଦର୍ଭ’ ପୁସ୍ତକରୁ ଊଦ୍ଧୃତ।]
ମନୋଜ ଦାସ
– ଫଟୋ ଓ ତଥ୍ୟ ସହାୟତା
ସମୀର ରଞ୍ଜନ ଦାସ, ପଣ୍ଡିଚେରୀ