୩ମାସରେ ୮୩୦୦କୋଟି ଟଙ୍କା ଋଣ ପରିଶୋଧ କରିବ ବେଦାନ୍ତ, କମ୍ପାନୀର ରେଟିଂ ହ୍ରାସ କଲା ମୁଡିଜ

ନୂଆଦିଲ୍ଲୀ,୨୭।୯: ଉଦ୍ୟୋଗପତି ଅନିଲ ଅଗ୍ରୱାଲଙ୍କ କମ୍ପାନୀ ବେଦାନ୍ତର ସମସ୍ୟା ବଢିବାରେ ଲାଗିଛି। କମ୍ପାନୀ କରଜରେ ବୁଡି ରହିଛି। ବର୍ତ୍ତମାନ ମୁଡି ଇନଭେଷ୍ଟର୍ସ ସର୍ଭିସେସ କମ୍ପାନୀର କ୍ରେଡିଟ ରେଟିଂ ହ୍ରାସ କରିଛି। କମ୍ପାନୀ ଦିନକୁ ଦିନ ଋଣ ଚାପରେ ଫସୁଥିବା ଦେଖି ବେଦାନ୍ତ ଲିମିଟେଡର ମୂଳ କମ୍ପାନୀ ବେଦାନ୍ତ ରିସୋର୍ସ ଲିମିଟେଡର କର୍ପୋରଟ ଫ୍ୟାମିଲି ରେଟିଂକୁ ଡାଉନଗ୍ରେଡ କରିଦେଇଛି ମୁଡିଜ। ଯଦି କମ୍ପାନୀ ଆଗାମୀ ସମୟରେ ଋଣ ପରିଶୋଧ କରିବାକୁ ଅର୍ଥ ସଂଗ୍ରହ କରିବାରେ ଅସମର୍ଥ ହୁଏ ତେବେ ଏହାର ରେଟିଂ ଆହୁରି ହ୍ରାସ ପାଇବ ବୋଲି ମୁଡିଜ ସତର୍କ କରାଇଛି।

ବେଦାନ୍ତ ରିସୋର୍ସ ଲିମିଟେଡର ଏକ ବିଲିୟନ ଡଲାର (ପ୍ରାୟ ୮୩୦୦ କୋଟି ଟଙ୍କା) ବଣ୍ଡ ଜାନୁୟାରୀ ୨୦୨୪ରେ ମ୍ୟାଚୁର ହେବାକୁ ଯାଉଛି। ସମାନ ପରିମାଣର ଆଉ ଏକ ବଣ୍ଡ ଅଗଷ୍ଟ ୨୦୨୪ରେ ମ୍ୟାଚୁର ହେବ। ଏହାର ଅର୍ଥ ବେଦାନ୍ତକୁ ଏହି ଟଙ୍କା ସୁଧ ସହିତ ଫେରସ୍ତ କରିବାକୁ ପଡିବ।
ବେଦାନ୍ତ ରିସୋର୍ସ ହେଉଛି ବେଦାନ୍ତ ଲିମିଟେଡର ପ୍ୟାରେଣ୍ଟ କମ୍ପାନୀ। ଜାନୁଆରୀ ଏବଂ ଅଗଷ୍ଟ କିସ୍ତି ବ୍ୟତୀତ କମ୍ପାନୀକୁ ୧.୨ ବିଲିୟନ ଡ଼ଲାର ଅର୍ଥାତ ମାର୍ଚ୍ଚ ୨୦୨୫ସୁଦ୍ଧା ୯୯୯୦ କୋଟି ଟଙ୍କା ଋଣ ପରିଶୋଧ କରିବାକୁ ପଡିବ।

Share