Categories: ଖେଳ

ମୁନୀ ଜାଏଣ୍ଟ୍ସ ଅଧିନାୟିକା

ମୁମ୍ବାଇ, ୨୮।୨: ମାର୍ଚ୍ଚ ୪ରୁ ଆରମ୍ଭ ହେବାକୁ ଯାଉଥିବା ଓମେନ୍ସ ପ୍ରିମିୟର ଲିଗ୍‌ ପାଇଁ ଗୁଜରାଟ ଜାଏଣ୍ଟ୍ସ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିକଟ ଅତୀତରେ ସ୍ଥିର ପ୍ରଦର୍ଶନ ଦେଇ ଆସିଥିବା ଅଷ୍ଟ୍ରେଲିଆର ବେଥ୍‌ ମୁନୀଙ୍କୁ ଦଳର ଅଧିନାୟିକା ଘୋଷଣା କରାଯାଇଛି। ଭାରତୀୟ ଅଫ୍‌ ସ୍ପିନର ତଥା ଅଲ୍‌ରାଉଣ୍ଡର ସ୍ନେହ ରାଣା ଉପ-ଅଧିନାୟିକା ମନୋନୀତ ହୋଇଛନ୍ତି। ମହିଳା କ୍ରିକେଟରେ ମୁନୀ ଜଣେ ପ୍ରଭାବୀ ଉଇକେଟ ବ୍ୟାଟରଭାବେ ବେଶ୍‌ ପରିଚିତ। ତାଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆ ୨୦୧୮, ୨୦୨୦ ଓ ୨୦୨୩ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଏବଂ ୨୦୨୨ ମହିଳା ଦିନିକିଆ ବିଶ୍ୱକପ୍‌ ବିଜୟୀ ହୋଇଛି। ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟୀ ଅଷ୍ଟ୍ରେଲିଆ ଦଳର ମଧ୍ୟ ସେ ସଦସ୍ୟା ଥିଲେ। ଏହା ବ୍ୟତୀତ ସେ ୩ ଥର ମହିଳା ବିଗ୍‌ ବାଶ୍‌ ଲିଗ୍‌ ଟାଇଟଲ ମଧ୍ୟ ଜିତିଛନ୍ତି। ଟି୨୦ରେ ଏକାଧିକ (୨ଟି) ଶତକ ସହ ୧୭ ଅର୍ଦ୍ଧଶତକ ହାସଲ କରିଥିବା ଅଳ୍ପ କେତେଜଣ ମହିଳା ବ୍ୟାଟରଙ୍କ ମଧ୍ୟରୁ ସେ ଅନ୍ୟତମ। ଅଷ୍ଟ୍ରେଲିଆ ଦଳର ନିର୍ଭରଯୋଗ୍ୟ ଖେଳାଳି ଭାବେ ସେ ୮୩ରୁ ଊର୍ଦ୍ଧ୍ୱ ଗେମ୍‌ ଖେଳି ୨,୩୫୦ ରନ୍‌ ସ୍କୋର କରିଛନ୍ତି। ୨୦୨୩ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ସେ ୭୪ ରନ୍‌ରେ ଅପରାଜିତ ରହିଥିଲେ ଏବଂ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ”ଐତିହାସିକ ମହିଳା ପ୍ରିମିୟର ଲିଗ୍‌ରେ ମୋତେ ଗୁଜରାଟ ଜାଏଣ୍ଟ୍ସ ଦଳର ଅଧିନାୟିକା କରାଯାଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ପ୍ରଥମ ସିଜନରେ ପ୍ରଭାବୀ ପ୍ରଦର୍ଶନ କରି ଟ୍ରଫି ଜିତିବା ଆମର ମୁଖ୍ୟ ଲକ୍ଷ୍ୟ ହେବ“ ବୋଲି ମୁନୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଉପ-ଅଧିନାୟିକା ସ୍ନେହ ରାଣା ବର୍ତ୍ତମାନ ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ଖେଳାଳି। ଦୃଢ଼ ମନୋବଳ ପାଇଁ ବିଶେଷ ଜଣାଶୁଣା ଏହି ଅଫ୍‌ ସ୍ପିନର ଆବଶ୍ୟକ ସମୟରେ ଦଳକୁ ଉଇକେଟ ଦେବାର ଦକ୍ଷତା ରଖିଛନ୍ତି। ଟାଇଟ୍‌ ବୋଲିଂ କରି ପ୍ରତିପକ୍ଷ ବ୍ୟାଟରଙ୍କୁ ମଧ୍ୟ ସେ ନିରାଶ କରିଥାନ୍ତି। ଡେରାଡୁନ୍‌ରେ ଜନ୍ମିତ ସ୍ନେହ ପୂର୍ବରୁ ମହିଳା ଟି୨୦ ଚ୍ୟାଲେଞ୍ଜରେ ଭେଲୋସିଟି ପକ୍ଷରୁ ଖେଳିଛନ୍ତି। ଟି୨୦ରେ ସେ ୨୫ଟି ମ୍ୟାଚ୍‌ ଖେଳି ୬.୨୧ ଇକୋନୋମିରେ ୨୪ଟି ଉଇକେଟ ହାସଲ କରିଛନ୍ତି। ଆଗାମୀ ଲିଗ୍‌ରେ ଗୁଜରାଟ ଜାଏଣ୍ଟ୍ସ ଏହାର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୪ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ।

Share