Categories: ଜାତୀୟ

ମୁସେଓ୍ପାଲାଙ୍କ ହତ୍ୟାକାରୀ-ପୋଲିସ ମୁହାଁମୁହିଁ, ଏନକାଉଣ୍ଟରରେ ଜଣେ ଗ୍ୟାଙ୍ଗଷ୍ଟର ମୃତ…

ଚଣ୍ଡିଗଡ଼,୨୦।୭ : ପଞ୍ଜାବରେ ସିଦ୍ଧୁ ମୁସେୱାଲାଙ୍କ ସନ୍ଦିଗ୍ଧ ହତ୍ୟାକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏନକାଉଣ୍ଟରରେ ଜଣେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ସର୍ଚ୍ଚ ଅପରେଶନ ସମୟରେ ନିକଟସ୍ଥ ଲୋକଙ୍କୁ ପୋଲିସ ଖରୁ ନବାହାରିବାକୁ ଅପିଲ କରିଛି। ଜନସାଧାରଣ ଯେପରି କୌଣସି ପ୍ରକାର ଦୁର୍ଘଟଣାର ଶିକାର ନ ହୁଅନ୍ତି ସେ ନେଇ ଏଭଳି ଅନୁରୋଧ କରାଯାଇଛି। ଅମୃତସର ଜିଲାର ପାକିସ୍ତାନ ସୀମାବର୍ତ୍ତୀ ଚିଚା ଭକନା ଗ୍ରାମରେ ଏହି ଏନକାଉଣ୍ଟର ଚାଲିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗ୍ୟାଙ୍ଗଷ୍ଟରମାନେ ଏକ ପୁରୁଣା କୋଠାରେ ଲୁଚି ରହିଛନ୍ତି। କୁହାଯାଉଛି ଯେ ତିନିଜଣ ଗ୍ୟାଙ୍ଗଷ୍ଟର ଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଏନକାଉଣ୍ଟର କରିଛି। ଚିଚା ଭକନା ଗ୍ରାମଠାରୁ ପାକିସ୍ତାନର ସୀମା ମାତ୍ର ୧୦୦ ମିଟର ଦୂରରେ। ଏଭଳି ପରିସ୍ଥିତିରେ ଏହି ଗ୍ୟାଙ୍ଗଷ୍ଟରମାନେ ପାକିସ୍ତାନରେ ପ୍ରବେଶ କରିବାର ସମ୍ଭାବନା ମଧ୍ୟ ରହିଛି। ପୋଲିସ ୨ କିଲୋମିଟର ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରି ରହିଛି।

ସାଧାରଣ ଲୋକଙ୍କୁ ଘର ଭିତରେ ରହିବାକୁ ନିବେଦନ କରାଯାଇଛି ଏବଂ ଆଖପାଖ ଅଞ୍ଚଳରେ ସ୍ନାଇପର ନିୟୋଜିତ କରାଯାଇଛି। ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ପ୍ରତ୍ୟେକ ଅଞ୍ଚଳ ଉପରେ ନଜର ରଖାଯାଉଛି। ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଗ୍ୟାଙ୍ଗଷ୍ଟରମାନେ ଲୁଚି ରହିଥିବା ବିଷୟରେ ସୂଚନା ମିଳିଥିଲା। ଘେରାବନ୍ଦୀ ପରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସେମାନଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ଗ୍ୟାଙ୍ଗଷ୍ଟରମାନେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା।

ଗ୍ୟାଙ୍ଗଷ୍ଟରଙ୍କ ଗୁଳିରେ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଅମୃତସରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରେ ଜାଗ୍ରୋପ ସିଂ ରୂପା ଏବଂ ମନପ୍ରୀତ ସିଂ ଛଦ୍ମନାମ ମନୁ କୁସା ଅଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ମୁସଓ୍ବୋଲାଙ୍କ ହତ୍ୟାକାଣ୍ଡରେ ଉଭୟଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ଗ୍ୟାଙ୍ଗଷ୍ଟରମାନେ ଆକ୍ରମଣ କରି ପାରନ୍ତି ବୋଲି ପୋଲିସ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଥିଲା। ଏଭଳି ପରିସ୍ଥିତିରେ, ସତର୍କତା ଅବଲମ୍ବନ କରି ପୋଲିସ ବହୁ ସଂଖ୍ୟକ ବାହିନୀ ସହିତ ପହଞ୍ଚି ଥିଲେ।

Share