ମୋରଡ଼ା ବିଜେଡିରେ ବିଦ୍ରୋହ, ଇସ୍ତଫା ଦେଲେ ରାଜ୍ୟ ସମ୍ପାଦକ

ମୋରଡ଼ା,୭ା୪(ସ୍ମାରକ ମାଜୀ): ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ରାଜନୀତି ତାତି ସେତେ ଜୋର୍‌ ଧରୁଛି। ବିଜୁ ଜନତା ଦଳ ମୋରଡ଼ା ପାଇଁ ନିର୍ବାଚନ ମଇଦାନକୁ ପ୍ରୀତିନନ୍ଦା କାନୁନ୍‌ଗୋ ଓହ୍ଲାଇଥିବା ବେଳେ ଏବେଠୁ ବିଦ୍ରୋହର ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି। ଦୀର୍ଘବର୍ଷ ଧରି ବିଜେଡିରେ ରହି ଦଳ ପାଇଁ କାର୍ଯ୍ୟ କରିଥିବା ରାଜ୍ୟ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ ରବିବାର ବିଧିବଦ୍ଧ ଭାବେ ବିଜୁଜନତା ଦଳରୁ ପ୍ରାଥମିକ ପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ ଆଜି ମୋରଡ଼ା ବ୍ଲକ ଅଧୀନ ଚଢେଇଗାଁସ୍ଥିତ ବାସଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି।

ତେବେ ଆଜି ଏହି ଖବରଦାତା ସମ୍ମିଳନୀରେ ଦଳର ବରିଷ୍ଠ ନେତୃତ୍ୱ ପର୍ଯ୍ୟବେକ୍ଷକ,ଅଞ୍ଚଳ ବାହାର ପ୍ରାର୍ଥୀ,ବିଧାୟକ ରାଜକିଶୋର ଦାସଙ୍କ ଉପରେ ବର୍ଷିଛନ୍ତି। ଗତ ୨୦୧୯ ନିର୍ବାଚନରେ ଦାସ ମୋରଡ଼ାରୁ ଆଶାୟୀ ଥିଲେ ମଧ୍ୟ ସେତେବେଳେ ତାଙ୍କୁ ଚାପ ପ୍ରୟୋଗ କରି ଚୁପ୍‌ କରାଯାଇଥିଲା ଏବଂ ପ୍ରତିବଦଳରେ ଅର୍ଥ ପ୍ରଲୋଭନ, ନିଗମ ଅଧ୍ୟକ୍ଷ ପଦବୀ ଯଚା ଯାଇଥିଲେ ମଧ୍ୟ ସେ ଗ୍ରହଣ କରି ନ ଥିଲେ ବୋଲି କହିଛନ୍ତି। ଏଥିସହିତ ୨୦୧୯ ନିର୍ବାଚନରେ ବିଧାୟକ ହୋଇଥିବା ରାଜକିଶୋର ଦାସ ମୋରଡ଼ା ଅଞ୍ଚଳ ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିବା ସହିତ ଅଞ୍ଚଳର ପ୍ରମୁଖ ସମସ୍ୟା ଯଥା ହାତୀ ଉପଦ୍ରବ, ଡାକ୍ତରଖାନାରେ ଡାକ୍ତର ଅଭାବ, ରାଜା ରାଜୁଡ଼ା ଅମଳର ଚିତ୍ରଡ଼ା-ହଳଦୀପାଳ ରାଜାବନ୍ଧର ସୌନ୍ଦର୍ଯ୍ୟକରଣ ପାଇଁ କୌଣସି ପଦକ୍ଷେପ ନ ନେବା ଅଞ୍ଚଳବାସୀଙ୍କ ପ୍ରତି ବିଧାୟକଙ୍କ ବୈମାତୃକ ମନୋଭାବକୁ ସୂଚାଉଛି ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର।

ତେବେ ଆଗାମୀ ନିର୍ବାଚନରେ ବାହାର ପ୍ରାର୍ଥୀଙ୍କୁ ଭୋଟ୍‌ ନ ଦେଇ ନିଜ ଅଞ୍ଚଳର ଯେ କୌଣସି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ନିଜର ଅଧିକାରକୁ ସାବ୍ୟସ୍ତ କରାଇବାକୁ ଆହ୍ବାନ ଦେଇଥିଲେ କୃଷ୍ଣଚନ୍ଦ୍ର। ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇ ଲଢ଼ିବା କଥା ସ୍ପଷ୍ଟ କରିଛନ୍ତି କୃଷ୍ଣଚନ୍ଦ୍ର। ଉକ୍ତ ଖବରଦାତା ସମ୍ମିଳନୀରେ ଅମୀର ଖାନ, ସିପୁ ମୁଦୁଲି, ଅଜିତ ଶେଜପଡ଼ା, ମନୋଜ ଦା, ଲକ୍ଷ୍ମଣ ଚପିଆର, ହେମନ୍ତ ଦାସ, କ୍ଷୀରୋଦ କୁମାର ଧିର, ପପୁ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଶ୍ରୀ ଦାସଙ୍କ ଇସ୍ତଫା ମୋରଡ଼ା ବିଜେଡି ପାଇଁ କେତେ କ୍ଷତିକାରକ ସାଜିବ ତାହା ଦେଖିବାକୁ ବାକି ରହିଲା।