ଜଙ୍ଗଲ ଜମିରୁ ମୋରମ ଲୁଟ

ଜେନାପୁର,୧୪।୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ତଥା ଡାଳିଯୋଡ଼ା ଫରେଷ୍ଟ ରେଞ୍ଜ ଅଞ୍ଜିରା ପଞ୍ଚାୟତ ଅଧୀନ ଗମ୍ଭାରିଆ ଗ୍ରାମ ନିକଟରୁ ଜଙ୍ଗଲ ଓ ରାଜସ୍ବ ବିଭାଗ ଜମିରୁ ବେଧଡ଼କ ଭାବେ ମୋରମ ଲୁଟ କରାଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ଏହି ଚୋରା କାରବାର ଚାଲିଛି। ପ୍ରତ୍ୟେକ ରାତି ୧୦ଟାଠାରୁ ବଡ଼ବଡ଼ ମେଶିନ ସାହାଯ୍ୟରେ ମୋରମ ଖୋଳାଯାଇ ହାଇଓ୍ବା ଯୋଗେ ବିଭିନ୍ନ ରେଲଓ୍ବେ ସାଇଡ୍‌କୁ ଚାଲାଣ କରାଯାଉଛି। ପ୍ରତିଦିନ ଏଠାରୁ ପ୍ରାକୃତିକ ସମ୍ପଦ ଲୁଟ ହେଉଥିବାବେଳେ ଜଙ୍ଗଲ ଓ ରାଜସ୍ବ ବିଭାଗ ବିପୁଳ ଟଙ୍କା ହରାଉଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଫଳରେ ଉକ୍ତ ଅଞ୍ଚଳରୁ ମୋରମ ଚାଲାଣ କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି। ମୋରମ ଖୋଳା ଯାଇଥିବା ସ୍ଥାନ ଗୋଟିଏ ଗୋଟିଏ ପୋଖରୀ ହୋଇଯାଉଛି। ଅନେକ ସମୟରେ ସେଠାରେ ପଡ଼ି ଗୃହପାଳିତ ପ୍ରାଣୀଙ୍କ ଜୀବନ ଯାଉଛି। ମୋରମ ଚୋରା ଚାଲାଣ ସଲା ସୁତରାରେ ଚାଲିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ତହସିଲଦାର ସ୍ବାଗତ ଦାସଙ୍କୁ ଫୋନ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। କଟକ ବନଖଣ୍ଡ ଡିଏଫ୍‌ଓ ଅଜିତ କୁମାର ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଏଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share