ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ଅଧିକ ନିସନ୍ତାନ ଦମ୍ପତି

ନୂଆଦିଲ୍ଲୀ,୨।୧୧: ନିସନ୍ତାନ ଦମ୍ପତିମାନେ ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏନେଇ ଏକ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯ ଏପ୍ରିଲ୍‌ ୧ଠାରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ୩ ହଜାର ୫୩୧ ଜଣ ଶିଶୁଙ୍କୁ ଅନାଥାଶ୍ରମରୁ ନିସନ୍ତାନ ଦମ୍ପତିମାନେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେଥିମଧ୍ୟରେ ୨ ହଜାର ୬୧ ଜଣ ଶିଶୁକନ୍ୟା ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଅପରପକ୍ଷରେ ହଜାରେ ୪୭୦ ଶିଶୁପୁତ୍ରଙ୍କୁ ନିସନ୍ତାନ ଦମ୍ପତିମାନେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସଂସାଧନ ପ୍ରାଧିକରଣ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି। ପୋଷ୍ୟ ଶିଶୁଙ୍କ ମଧ୍ୟରେ ୩ ହଜାର ୧୨୦ ଜଣଙ୍କର ବୟସ ୫ ବର୍ଷ ମଧ୍ୟରେ ରହିଛି। ଅପରପକ୍ଷରେ ୫ରୁ ୧୮ ବର୍ଷ ମଧ୍ୟରେ ୪୧୧ ଜଣ ରହିଛନ୍ତି। ୩ ହଜାର ୧୧୦ ଜଣଙ୍କୁ ଦେଶରେ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବାବେଳେ ୪୨୧ଜଣଙ୍କୁ ବିଦେଶୀ ଦମ୍ପତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୬୧୫ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି। ଏହାପଛକୁ କର୍ନାଟକ ରହିଛି। ଏଠାରେ ୨୭୨ ଜଣଙ୍କୁ ପୋଷ୍ୟ ଗ୍ରହଣ କରାଯାଇଛି। ସେହିପରି ତାମିଲନାଡୁରେ ୨୭୧, ଉତ୍ତରପ୍ରଦେଶରେ ୨୬୧ ଏବଂ ଓଡ଼ିଶାରେ ୨୫୧ ଜଣଙ୍କୁ ପୋଷ୍ୟ ଭାବେ ନିସନ୍ତାନ ଦମ୍ପତିମାନେ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ରରେ ୬୦ରୁ ଅଧିକ ପୋଷ୍ୟ ସନ୍ତାନ ସଂସ୍ଥା ରହିଥିବାବେଳେ ଦେଶର ଅନ୍ୟ ରାଜ୍ୟରେ ଏଭଳି ସଂସ୍ଥାଗୁଡ଼ିକର ହାରାହାରି ସଂଖ୍ୟା ୨୦ ରହିଛି। ୨୦୧୮-୧୯ରେ ୩ ହଜାର ୭୪୫ ଜଣ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share