ଅଧିକ ଶିଶୁ ହେଉଛନ୍ତି କରୋନାରେ ଆକ୍ରାନ୍ତ …

ଓ୍ବାଶିଂଟନ,୧୩।୫: ଆମେରିକାରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଏବେ ଶିଶୁମାନେ ବହୁ ସଂଖ୍ୟାରେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏହା ଯୋଗୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବୟସ୍କ ଲୋକଙ୍କ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ଚିକିତ୍ସା ବିଶେଷଜ୍ଞଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ୨୦୨୧ ଏପ୍ରିଲ୍‌ରେ ଶିଶୁଙ୍କଠାରେ କରୋନା ସଂକ୍ରମଣ ତୀବ୍ର ବେଗରେ ବ୍ୟାପିଥିଲା। ଛୋଟ ଶିଶୁଙ୍କଠାରୁ ୧୨ ବର୍ଷ ବୟସ୍କଙ୍କଠାରେ କରୋନା ସଂକ୍ରମଣ ଅଧିକ ଦେଖିବାକୁ ମିଳୁଛି। ଏପ୍ରିଲ୍‌ରେ ଏଭଳି ଶିଶୁଙ୍କ ସଂଖ୍ୟା ୩ ହଜାରରୁ ଅଧିକ ଥିଲା। ଏବେ ଧୀରେଧୀରେ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ହସ୍ପିଟାଲରେ ଶିଶୁଙ୍କ ଭିଡ଼ ବୃଦ୍ଧି ପାଉଛି। କରୋନା ଯୋଗୁ ଶିଶୁଙ୍କଠାରେ ମଲ୍ଟି ସିଷ୍ଟମ୍‌ ଇନଫ୍ଲେମେଟ୍ରି ସିଣ୍ଡ୍ରୋମ୍‌ ଦେଖାଦେଇଛି। ଏଭଳି ଶିଶୁଙ୍କ ସଂଖ୍ୟା ୨ ହଜାରରୁ ଅଧିକ ରହିଛି। ସେମାନଙ୍କ ଶରୀରରେ କରୋନା ଯୋଗୁ ଭିନ୍ନ ଭିନ୍ନ ଲକ୍ଷଣ ପ୍ରକାଶ ପାଉଥିବାରୁ ଚିକିତ୍ସକଙ୍କ ଲାଗି ସମସ୍ୟା ସୃଷ୍ଟି ହେବାରେ ଲାଗିଛି।

Share