ପିଲା ଅଧିକ, ସିଟ୍‌ କମ୍‌

ଭୁବନେଶ୍ୱର, ୨୭।୬(ବ୍ୟୁରୋ): ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥର ରେକର୍ଡ ସଂଖ୍ୟକ ପାସ୍‌ ହାର ୯୭.୮୯% ରହିଛି। ଏଥରର ପାସ୍‌ ହାର ଖୁସି ଦେଇଥିଲେ ମଧ୍ୟ ଭଲ କଲେଜରେ ସିଟ୍‌ ମିଳିବା ନେଇ ଛାତ୍ରୀଛାତ୍ରଙ୍କ ମନରେ ଆଶଙ୍କା ଦେଖାଦେଇଛି। ସେପଟେ ପାସ୍‌ ହାର ସିନା ଅଧିକ ହୋଇଗଲା, କିନ୍ତୁ ଏତେ ପିଲା କେଉଁଠି ନାମ ଲେଖାଇବେ ତାକୁ ନେଇ ଏବେ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା। କାରଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ତୁଳନାରେ କଲେଜରେ ଆବଶ୍ୟକ ସଂଖ୍ୟକ ସିଟ୍‌ ନାହିଁ।

ଚଳିତବର୍ଷ ରେଗୁଲାର, ଏକ୍ସ-ରେଗୁଲାର, ମୁକ୍ତ ବିଦ୍ୟାଳୟ, ମଧ୍ୟମା ଓ ମଦ୍ରାସା ବୋର୍ଡରେ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ହେଲା ୬,୧୮,୮୮୫। ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ଦଶମ ପରୀକ୍ଷାଫଳ ଏଯାଏ ପ୍ରକାଶ ପାଇନାହିଁ। ଏହି ଦୁଇ ବୋର୍ଡରୁ ପ୍ରତିବର୍ଷ ପ୍ରାୟ ୧୦ହଜାର ଛାତ୍ରୀଛାତ୍ର କଲେଜରେ ନାମ ଲେଖାଇଥାନ୍ତି। ତେଣୁ ଏଥର ପ୍ରାୟ ୬,୨୮,୮୮୫ ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଯୋଗ୍ୟ ହେବେ। ସେପଟେ ରାଜ୍ୟରେ ଯୁକ୍ତ୨, ଆଇଟିଆଇ, ଡିପ୍ଲୋମା ଓ ଅନ୍ୟ ଘରୋଇ କଲେଜକୁ ମିଶାଇ ପ୍ରାୟ ୬,୦୩,୧୧୩ ସିଟ୍‌ ରହିଛି। ସେଥିମଧ୍ୟରେ ୨,୦୩୨ଟି ଯୁକ୍ତ୨ କଲେଜରେ ମୋଟ ୪,୪୩,୩୫୪ ସିଟ୍‌ ରହିଥିବାବେଳେ ଉଭୟ ସରକାରୀ ଓ ଘରୋଇ ଡିପ୍ଲୋମା ଏବଂ ଆଇଟିଆଇ କଲେଜର ସିଟ୍‌ ସଂଖ୍ୟା ରହିଛି ୧,୫୯,୭୫୯। ତେଣୁ ପ୍ରାୟ ୨୫ହଜାର ଛାତ୍ରୀଛାତ୍ରଙ୍କ ପାଇଁ ସିଟ୍‌ ଅଭାବ ହେବ। ରାଜ୍ୟ ସରକାର କେଉଁ ଉପାୟରେ ନାମ ଲେଖାଇବେ ତାକୁ ନେଇ ଏବେ ଛାତ୍ରୀଛାତ୍ର, ଅଭିଭାବକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହେଲାଣି। ଉପାନ୍ତ ଅଞ୍ଚଳରେ ବିଶେଷ କରି ପାଖ କଲେଜରେ ସିଟ୍‌ ନ ମିଳିଲେ ଡ୍ରପ୍‌ ଆଉଟ୍‌ ହାର ବଢ଼ିପାରେ। ଏଭଳି ସ୍ଥିତିରେ ଆଞ୍ଚଳିକ ଭିତ୍ତିରେ ସିଟ୍‌ ବଢ଼ାଇବା ଏକମାତ୍ର ସମାଧାନ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରୁଛନ୍ତି। ବିଭାଗ ଏବେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ନା ସିଟ୍‌ ବୃଦ୍ଧି କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏଥର  ପରୀକ୍ଷା ନ କରି ମାଟ୍ରିକ ଫଳ ପ୍ରକାଶ କରିଥିବାରୁ ପ୍ରବେଶିକା ପରୀକ୍ଷା କରିବାର ସମ୍ଭାବନା ନାହିଁ। ତେଣୁ ସିଟ୍‌ ବୃଦ୍ଧି ହିଁ ଏକମାତ୍ର ଉପାୟ ବୋଲି କୁହାଯାଉଛି।

ସେହିଭଳି ଏଥର ଅଧିକାଂଶ ପିଲା ଭଲ ନମ୍ବର ରଖିଥିବାରୁ ସେମାନେ ପସନ୍ଦଯୋଗ୍ୟ କଲେଜରେ ସିଟ୍‌ ପାଇବେ କି ନାହିଁ ତାହାକୁ ନେଇ ମଧ୍ୟ ଚିନ୍ତାରେ ରହିଛନ୍ତି। କାରଣ ଗତ ବର୍ଷ ଏ-୧(୯୧%ରୁ ଊର୍ଦ୍ଧ୍ୱ ନମ୍ବର)ରେ ପ୍ରାୟ ୧,୨୭୯ ପିଲା ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚଳିବର୍ଷ ଏହା ୨ଗୁଣ ବୃଦ୍ଧି ପାଇ ୨,୬୫୬ରେ ପହଞ୍ଚତ୍ଛି। ସେହିପରି ଏ-୨(୮୧ରୁ ୯୦% ନମ୍ବର)ରେ ଗତ ବର୍ଷ ୮,୪୫୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏଥର ୨୨,୧୩୧ଜଣ ପାସ୍‌ କରିଛନ୍ତି। ତେଣୁ ଏ-୨ରେ ଥିବା ପିଲାମାନେ ଭଲ କଲେଜ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏନେଇ ଶିକ୍ଷା ବିଭାଗର କୌଣସି ମତାମତ ମିଳିପାରି ନାହିଁ।

Share