କ୍ୟାପିଟାଲ ହସ୍ପିଟାଲକୁ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ରୁ ଅଧିକ ଡେଙ୍ଗୁ ରୋଗୀ ଆସୁଛନ୍ତି

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ନ ଯାଉଣୁ ଏବେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେବ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ଡେଙ୍ଗୁ ୱାର୍ଡରେ ୩୦ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିବା ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ, ନୟାଗଡ଼, ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ ବେଶି ରୋଗୀ ଆସୁଛନ୍ତି। ପ୍ରତିଦିନ ପାଖାପାଖି ୯୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଉଛି। ଡାକ୍ତରଖାନାରେ ପ୍ରତିଦିନ ୮ରୁ ୧୦ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହେଉଛନ୍ତି। ସବୁ ରୋଗୀଙ୍କୁ ଭର୍ତ୍ତି ନ କରି ଔଷଧ ଦେଇ ଛାଡ଼ି ଦେଉଛୁ। ଯେଉଁ ରୋଗୀଙ୍କର ବ୍ଲଡ୍‌ ପ୍ଲେଟ୍‌ଲେଟ୍‌ ୪୦ ହଜାର ତଳକୁ ରହୁଛି ସେମାନଙ୍କୁ ସଙ୍ଗେ ସଙ୍ଗେ ଭର୍ତ୍ତି କରାଯାଉଛି। ତେବେ ଖୁବ୍‌ଶୀଘ୍ର ଡେଙ୍ଗୁ କମିଯିବ ବୋଲି ଆଶା କରାଯାଉଛି। ଯେଉଁ ଅଞ୍ଚଳରେ ଡ୍ରେନେଜ ସିଷ୍ଟମ ଠିକ୍‌ ନାହିଁ ଓ ଲୋକ ସଚେତନ ନାହାନ୍ତି ସେ ଅଞ୍ଚଳଗୁଡ଼ିକରେ ଡେଙ୍ଗୁ ବ୍ୟାପୁଛି। କରୋନା ଓ ଡେଙ୍ଗୁକୁ ନେଇ ଲୋକ ଦ୍ୱନ୍ଦ୍ୱରେ ପଡୁଛନ୍ତି। ତେଣୁ ଲକ୍ଷଣ ଦେଖାଦେଲେ ପ୍ରଥମେ କରୋନା ଟେଷ୍ଟ ଓ ପରେ ଡେଙ୍ଗୁ ଟେଷ୍ଟ କରିବା ଉଚିତ ବୋଲି ଡା. ମହାପାତ୍ର ପରାମର୍ଶ ଦେଇଛନ୍ତି।
ଅପରପକ୍ଷେ ଭୁବନେଶ୍ୱରରେ ବୁଧବାର ଆଉ ୩୨ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଡେଙ୍ଗୁ ରୋଗୀ ସଂଖ୍ୟା ୪୫୩ରେ ପହଞ୍ଚତ୍ଛି। ଡେଙ୍ଗୁ ଦମନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସଚେତନତା ଓ ସଫାସୁତୁରା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଏଥିପାଇଁ ଏବେ ଡେଙ୍ଗୁ ସ୍ବେଚ୍ଛାସେବୀ ଟିମ୍‌କୁ ନିୟୋଜିତ କରାଯାଇଛି। ସେମାନେ ୪୫ଦିନ ଧରି ଘର ଘର ବୁଲି ଯାଞ୍ଚ ଓ ସଚେତନ ଆଦି କାର୍ଯ୍ୟ କରିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Share