ସଂକ୍ରମିତ ହେଉଛନ୍ତି ଅଧିକ ମହିଳା

ହାଇଦ୍ରାବାଦ, ୧୧।୫: କରୋନା ମହାମାରୀ ଦ୍ୱିତୀୟ ଲହରରେ ମହିଳାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବା ତେଲଙ୍ଗାନା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି। ସେଠାରେ ମହିଳା ସଂକ୍ରମିତଙ୍କ ସଂଖ୍ୟା ୩୮.୫ ପ୍ରତିଶତ ରହିଛି, ଯାହା ଗତବର୍ଷ ଜୁଲାଇରେ ପ୍ରାୟ ୩୪ ପ୍ରତିଶତ ରହିଥିଲା। ଜାତୀୟ ସ୍ତରରେ ଦେଖିଲେ ମହିଳାମାନଙ୍କ ସଂକ୍ରମଣ ହାର ୩୬ ପ୍ରତିଶତ ରହିଛି। ପ୍ରଥମ ଲହରରେ ମହିଳାମାନଙ୍କ ସଂକ୍ରମଣ ହାର ଯଥେଷ୍ଟ କମ୍‌ ଥିଲା। ତେବେ କରୋନାଜନିତ ପୁରୁଷ ଓ ମହିଳା ମୃତ୍ୟୁହାର ସମାନ ରହିଥିବା ନିଜାମାବାଦ ସରକାରୀ ଜେନେରାଲ ହସ୍ପିଟାଲର ଆସୋସିଏଟ୍‌ ପ୍ରଫେସର ଡ. କିରଣ ମଦଲା କହିଛନ୍ତି। ପୂର୍ବରୁ ଆଇସିୟୁରେ ୩୩ ପ୍ରତିଶତ ମହିଳା ରୋଗୀ ଆଡମିଶନ ହେଉଥିବାବେଳେ ଏବେ ତାହା ୩୯ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ମୃତ୍ୟୁହାର ସମାନ ରହିବାର କାରଣ ହେଲା ମହିଳାମାନେ ସାଧାରଣତଃ ବିଳମ୍ବରେ ହସ୍ପିଟାଲ ଆସିଥାନ୍ତି ଏବଂ ପୁରୁଷଙ୍କ ଭଳି ମହିଳା ସଦସ୍ୟଙ୍କ ପ୍ରତି ପରିବାର ଉପଯୁକ୍ତ ଧ୍ୟାନ ଦେଇ ନ ଥାଏ ବୋଲି କିରଣ କହିଛନ୍ତି। ମହିଳାମାନେ କୋଭିଡ୍‌-୧୯ ନିୟମ ପାଳନ କରିବା ସହ ବାହାରକୁ ଯାଉ ନ ଥିବାରୁ କମ୍‌ ସଂକ୍ରମିତ ହୋଇଥାନ୍ତି। ତେବେ କମ୍‌ ବୟସର ମହିଳା ଏବେ ଅଧିକ ସଂକ୍ରମିତ ହେଉଥିବା ଏଏସ୍‌ସିଆଇ ପ୍ରଫେସର ଡ. ସୁବୋଧ କନ୍ଦମୁଥନ କହିଛନ୍ତି। ବିଭିନ୍ନ ରାଜ୍ୟରେ ମହିଳା ସଂକ୍ରମଣ ହାରକୁ ଦେଖିଲେ ବିହାରରେ ସର୍ବାଧିକ ୪୨ ପ୍ରତିଶତ ରହିଛି। ଗତବର୍ଷ ଜୁଲାଇ ସୁଦ୍ଧା ମହାରାଷ୍ଟ୍ରରେ ୩୮ ପ୍ରତିଶତ ମହିଳା ସଂକ୍ରମିତ ହୋଇଥିବାବେଳେ କର୍ନାଟକରେ ୩୬%, ତାମିଲନାଡୁରେ ୩୨% ସଂକ୍ରମିତ ହୋଇଥିଲେ।

Share