ବାୟୁ ଚଳାଚଳ କରୁ ନ ଥିବା ହସ୍ପିଟାଲରେ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଜେନେଭା,୧୧।୭: ପାଖାପାଖି ୩୨ ଦେଶର ୨୩୯ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଥିଲା କି ବାୟୁ ଦ୍ୱାରା କରୋନା ସଂକ୍ରମଣ ହୋଇପାରେ। ପ୍ରଥମେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଏହାକୁ ଅସ୍ବୀକାର କରୁଥିବା ବେଳେ ପରେ କିନ୍ତୁ ଏହାକୁ ମାନି ନେଇଥିଲା। ଏହାପରେ ଗୁରୁବାର ଡବ୍ଲୁଏଚ୍‌ଓ କହିଛି ଯେଉଁ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା କରାଯାଉଛି ସେଠାରେ ଯଦି ଠିକ୍‌ ଭାବେ ବାୟୁ ଚଳାଚଳ ନ କରୁଛି ତେବେ ସେଠାରେ କରୋନା ଭାଇରସ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ। ଡବ୍ଲୁଏଚ୍‌ଓର ସୂଚନା ଅନୁଯାୟୀ, ରୋଗୀଙ୍କ ଚିକିତ୍ସା ସମୟରେ ଅନେକ ଛୋଟ ଛୋଟ ଡ୍ରପଲେଟ୍ସ ଏରୋସ୍ପେସ ରୂପରେ ବାୟୁରେ ରହିଯାଇଥାଆନ୍ତି। ବିଶେଷକରି ହସ୍ପିଟାଲ ପରିସରର ଯେଉଁ ସ୍ଥାନରେ ବାୟୁ ଚଳାଚଳ ନ କରୁଛି ସେଠାରେ ଏହା ଘଣ୍ଟା ଘଣ୍ଟା ଧରି ରହିଯାଇଥାଏ। ତେଣୁ ସେହି ସ୍ଥାନଦେଇ ଯାତାୟତ କରୁଥିବା ଲୋକଙ୍କୁ ଏହା ସଂକ୍ରମଣ କରିବାର ସମ୍ଭାବନା ଅଧିକ ଥାଏ। ତେଣୁ ସଂକ୍ରମଣରୁ ଦୂରେଇ ରହିବାକୁ ହସ୍ପିଟାଲ ପରିସରକୁ ଯାଇଥିବା ବ୍ୟକ୍ତି ତଥା ସ୍ବାସ୍ଥ୍ୟକର୍ମୀ ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୋଇବାକୁ କୁହାଯାଇଛି। ପରସ୍ପର ମଧ୍ୟରେ ଅତିକମ୍‌ରେ ୩ ଫୁଟର ଦୂରତା ରଖିବାକୁ ମଧ୍ୟ କୁହାଯାଇଛି। ଏହାସହ ଭିଡ ସ୍ଥାନକୁ ନ ଯିବା, ବଜାର ଯାଉଥିଲେ ବାରମ୍ବାର ହାତକୁ ସାନିଟାଇଜ କରିବା, ମୁହଁରେ ହାତ ନ ମାରିବା ଓ ଘରେ ବାୟୁ ଚଳାଚଳ ଉପରେ ବିଶେଷ ଧ୍ୟାନ ଦେଲେ କରୋନା ସଂକ୍ରମଣକୁ ଏହାଇ ଦେଇହେବ ବୋଲି କହିଛି ଡବ୍ଲୁଏଚ୍‌ଓ।

Share