Categories: ଜାତୀୟ

ନିଯୁକ୍ତି ପାଇଁ ଅଧିକ ଯୋଗ୍ୟତା ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ, ୪।୧୧: ନିଯୁକ୍ତି କ୍ଷେତ୍ରରେ ଅତ୍ୟଧିକ ଯୋଗ୍ୟତା ଗ୍ରହଣୀୟ ନୁହେଁ। ଅତ୍ୟଧିକ ଯୋଗ୍ୟତାସମ୍ପନ୍ନ ଜଣେ ବ୍ୟାଙ୍କ ପିଅନଙ୍କୁ ବରଖାସ୍ତ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ତାଙ୍କ ନିଯୁକ୍ତିକୁ କାଏମ ରଖିଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ ନ କରି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ବରଖାସ୍ତ ନିଷ୍ପତ୍ତିକୁ କାଏମ ରଖିଛନ୍ତି। ଉକ୍ତ ପିଅନଙ୍କୁ ପୁନର୍ବାର କାର୍ଯ୍ୟରେ ଯୋଗଦେବା ଲାଗି ଅନୁମତି ଦେବାକୁ ଓଡ଼ିଶା ହାଇକୋର୍ଟ ସମ୍ପୃକ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ। ଶୀର୍ଷ ଅଦାଲତ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି। ବାସ୍ତବ ସୂଚନାକୁ ଚାପି ରଖିବା କିମ୍ବା ଭୁଲ୍‌ ତଥ୍ୟ ଦେଇଥିବା ପ୍ରାର୍ଥୀ ଚାକିରିରେ ରହିବା ଲାଗି ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ଅଶୋକ ଭୂଷଣ, ଆର୍‌. ସୁଭାଷ ରେଡ୍ଡୀ ଏବଂ ଏମ୍‌.ଆର୍‌. ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିନ୍ତି।
ନିଯୁକ୍ତି ପାଇଁ ଆବେଦନକାରୀ ସ୍ନାତକ ହୋଇ ନ ଥିବା ଆବଶ୍ୟକ ବୋଲି ବ୍ୟାଙ୍କ ପକ୍ଷରୁ ବିଜ୍ଞାପନ ଦିଆଯାଇଥିଲା। ତେବେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଅମିତ କୁମାର ଦାସ ଏହାକୁ ଚ୍ୟାଲେଞ୍ଜ ନ କରି ନିଜ ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇ ଚାକିରି ପାଇଁ ଆବେଦନ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟ ଯୋଗୁ ବାସ୍ତବରେ ଚାକିରି ପାଇଁ ହକ୍‌ଦାର ଅନ୍ୟ ଜଣେ ପ୍ରାର୍ଥୀ କ୍ଷତିଗ୍ରସ୍ତ ହେଲେ ବୋଲି ଖଣ୍ଡପୀଠ କହିଛନ୍ତି।

Share