ଲକ୍ଷେ ୪୩ ହଜାର ଟପିଲା ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୧୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨୦ ହଜାର ୫୨୮ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୯ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୪୩ ହଜାର ୪୪୯ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଦେଢ଼ ଲକ୍ଷ ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୧୭ ହଜାର ୭୯୦ଜଣ ସୁସ୍ଥ ହୋଇଛନ୍ତି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୭୦୯ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୭ ଲକ୍ଷ ୫୦ ହଜାର ୫୯୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୦ ଲକ୍ଷ ୮୧ ହଜାର ୪୪୧ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୩୮୨ ଜଣ, କେରଳରେ ୨,୮୭୧ ଜଣ, ଦିଲ୍ଲୀରେ ୪୯୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୨,୩୪୦ଜଣ, ହରିୟାଣାରେ ୪୩୬ ଜଣ, କର୍ନାଟକରେ ୧,୩୭୪ ଜଣ, ପଶ୍ଚିମବଙ୍ଗରେ ୨,୮୩୯, ଉତ୍ତରପ୍ରଦେଶରେ ୪୧୧ ଜଣ, ତେଲେଙ୍ଗାନାରେ ୬୦୮, ଗୁଜରାଟରେ ୭୭୭, ରାଜସ୍ଥାନରେ ୨୨୦ ଜଣ, ବିହାରରେ ୩୮୮ ଜଣ, ପଞ୍ଜାବରେ ୨୬୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ୫୩୬ ଜଣ, ଓଡ଼ିଶାରେ ୮୭୨ ଜଣ, ମଧ୍ୟପ୍ରଦେଶରେ ୧୮୦ ଜଣ, ଗୋଆରେ ୧୪୩ ଜଣ, ପୁଡୁଚେରୀରେ ୨୧୧ ଜଣ, ଛତିଶଗଡ଼ରେ ୫୦୫ ଜଣ, ପଞ୍ଜାବରେ ୨୩୬ ଜଣ, ଆସାମରେ ୬୭୨ ଜଣ, ହିମାଚଳପ୍ରଦେଶରେ ୪୨୮ ଜଣ, ଝାଡ଼ଖଣ୍ଡରେ ୧୯୦ ଜଣ, ଉତ୍ତରାଖଣ୍ଡରେ ୧୧୮ ଜଣ, ମିଜୋରାମରେ ୧୭୫ ଜଣ, ତ୍ରିପୁରାରେ ୨୯୦ ଜଣ, ଜମ୍ମୁ-କଶ୍ମୀରରେ ୨୨୪ ଜଣ, ସିକିମ୍‌ରେ ୧୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୦ କୋଟି ରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

Share