ନାଉଗାଁ,୨୮ା୩(ସ୍ବ.ପ୍ର.): ନାଉଗାଁ ବ୍ଲକ ବାଲିଭଉଁରୀ-ଶିଖରଘାଟ ରାସ୍ତା ପାର୍ଶ୍ୱରେ ଥିବା ମଲ୍ଲିକ ସାହିରେ ହାତପାହାନ୍ତାରେ ଝୁଲୁଛି ୧୧ କେଭି ବିଦ୍ୟୁତ୍ ତାର। ଏଥିଯୋଗୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସାହିରେ ୧୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ସାହି ଊପରେ ଟଣାଯାଇଥିବା ବିଦ୍ୟୁତ୍ ତାରଗୁଡ଼ିକ ସେମାନଙ୍କ ଚାଳଛପର ଘର ଉପରେ ଝୁଲି ରହିଛି। କେତେଜଣଙ୍କ ଘର ଉପରେ ବହୁ ସମୟରେ ତାରରୁ ନିଆଁ ଝୁଲ ଖସି ଚାଳରେ ନିଆଁ ଲାଗିଛି। ଏହି ଭୟରେ ଲୋକେ ଛପର କରିପାରୁନାହାନ୍ତି ବୋଲି ସାହିବାସୀ କହିଛନ୍ତି। ଏନେଇ ବାରମ୍ବାର ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ବ୍ୟତୀତ କାର୍ଯ୍ୟରେ ପରିଣତ ହେଉନାହିଁ ବୋଲି ଗ୍ରାମର ରବୀନ୍ଦ୍ର ମଲ୍ଲିକ, ବାବାଜୀ ମଲ୍ଲିକ, ଠୁଲୁ ମଲ୍ଲିକ, ବୁଲୁ ମଲ୍ଲିକ, ଭ୍ରମର ମଲ୍ଲିକ, ପଞ୍ଚୁ ମଲ୍ଲିକ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ଟାଟା ପାଓ୍ବାର ମ୍ୟାନେଜର ଦୀପକ ଭୂଇଁଙ୍କୁ ପଚାରିବାରୁ, ଏ ନେଇ ସେ ପୂର୍ବରୁ ଅବଗତ ନ ଥିଲେ। ଖୁବ୍ଶୀଘ୍ର ଏ ବିଷୟରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।