Categories: ଜାତୀୟ

କୁମ୍ଭ ମେଳାରେ କରୋନା ମାଡ: ପୁଣି ୧୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ, ୨୦ ସାଧୁସନ୍ଥ କରୋନା ପଜିଟିଭ୍‌‌‌

ଲକ୍ଷ୍ନୌ,୧୪।୪: ଦେଶରେ କରୋନା ପରିସ୍ଥିତି ପୁଣି ବିଗିଡିବାରେ ଲାଗିଛି। କୁମ୍ଭ ମେଳାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବୁଧବାର ପୁଣି ୧୦୦ରୁ ଅଧିକ ଶ୍ରଦ୍ଧାଳୁ ଏବଂ ୨୦ ସାଧୁସନ୍ଥ କରୋନା ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ଏହି ମେଳାରେ ଭାଗ ନେଇଥିବା ୧୮୦୦ରୁ ଅଧିକ ଶ୍ରଦ୍ଧାଳୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ମେଳାରେ ମାସ୍କ ପିନ୍ଧିବା ଏବଂ ଅନ୍ୟାନ୍ୟ କରୋନା ନିୟମ ପାଳନ କରିବାକୁ ମନା କରିଦେଇଥିବା ସାଧୁସନ୍ଥ କରୋନାର ଶିକାର ହୋଇଛନ୍ତି।
ଏହି ସମୟରେ ଅଖିଳ ଭାରତୀ ଆଖଡା ପରିଷଦର ସଭାପତି ଶ୍ରୀମହନ୍ତ ନରେନ୍ଦ୍ର ଗିରିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଏମ୍ସ୍‌ରେ ଭର୍ତ୍ତି କରାଯାଇଥିଲା। ଶନିବାର ତାଙ୍କ କୋଭିଡ ରିପୋର୍ଟ ୍ପଜିଟିଭ୍‌ ଆସିବା ପରେ ତାଙ୍କୁ ଆଖଡାରେ ଆଇସୋଲେଟ କରାଯାଇଛି। ଏଥି ସହିତ ନିରଂଜନୀ ଆଖଡାର ଦଶଜଣ ସାଧୁ ମଧ୍ୟ ଗତ ପାଞ୍ଚ ଦିନ ମଧ୍ୟରେ ସଂକ୍ରମିତ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଆଖଡାର ଅନେକ ସାଧୁଙ୍କ କୋଭିଡ ନମୁନା ମଧ୍ୟ ସଂଗ୍ରହ କରିଛି। ଶ୍ରୀମହନ୍ତଙ୍କ ସମ୍ପର୍କରେ ଆସିଥିବା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ତଥା ଏସପି ସୁପ୍ରିମୋ ଅଖିଳେଶ ଯାଦବ ମଧ୍ୟ ମଙ୍ଗଳବାର ଲକ୍ଷ୍ନୌରେ ତାଙ୍କର କୋଭିଡ ଯାଞ୍ଚ କରିଥିଲେ। ତାଙ୍କର ମଧ୍ୟ ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।

Share