ଜଣେ ବ୍ୟକ୍ତି ଏକାସାଙ୍ଗରେ ଘରକୁ ନେଇ ଆସିଲେ ୧୦୦ରୁ ଅଧିକ ସାପ, ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧: ଆମେରିକାର ମ୍ୟାରିଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ଘରକୁ ଏକାସାଙ୍ଗରେ ୧୦୦ରୁ ଅଧିକ ସାପ ନେଇଆସିଥିଲେ। ଏହି ଘଟଣା ଗତ ୧୯ ତାରିଖରେ ହୋଇଥିଲା। ଏନେଇ ପଡ଼ୋଶୀମାନେ ପ୍ରଥମେ ଜାଣି ପାରି ନ ଥିଲେ। ମାତ୍ର ସନ୍ଦେହ ହେବାରୁ ପରେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲା ପାଦ ତଳୁ ମାଟି ଖସି ପଡ଼ିଲା।

ପୋଲିସ ଦେଖିଲା ୪୯ ବର୍ଷୀୟ ବ୍ୟକ୍ତି ଜଣକ ଚଟାଣ ଉପରେ ମରି ପଡ଼ିଛନ୍ତି। ପୋଲିସ ତୁରନ୍ତ ଡାକ୍ତରୀ ଟିମ୍‌ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚତ୍ଥିଲେ। ପରେ ବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ମୃତବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ। ଏନେଇ ପୋଲିସ ଅଧିକ ତନାଘନା ଜାରିରଖିଛି।

ପୋଲିସ ଏକ ପ୍ରେସ ରିଲିଜ କରି ସୂଚନା ଦେଇଛି ଯେ, ଘରେ ଏବଂ ବାହାରେ ୧୦୦ରୁ ଅଧିକ ସାପ ମିଳିଛନ୍ତି। ଏହି କଥା ପଡ଼ୋଶୀମାନେ ମଧ୍ୟ ଜାଣି ପାରି ନ ଥିଲେ। ଚାଲର୍‌ସ କାଉଣ୍ଟି ଆନିମଲ କଣ୍ଟ୍ରୋଲର ସଦସ୍ୟଙ୍କୁ ଖବର ଦିଆଯିବା ପରେ ସେମାନେ ସାପ ଧରିବା ପାଇଁ ପହଞ୍ଚିଥିଲେ। ଉକ୍ତ ଟିମ୍‌ କହିଛି ଘର ଭିତରୁ ଏବଂ ବାହାରୁ ୧୨୫ ସାପ ବାହାରିଥିଲେ। ଘର ଭିତରେ ସବୁଠୁ ଲମ୍ବା ସାପ ଥିଲା। ଯାହାର ଲମ୍ବ ୧୪ ଫୁଟ। ଉକ୍ତ ଟିମ୍‌ କହିଛି ଆମେରିକାରେ ଏତେ ବଡ଼ସଂଖ୍ୟାରେ ସାପ ଗତ ୩ ବର୍ଷ ମଧ୍ୟରେ ଦେଖିବାକୁ ମିଳିନାହିଁ।

Share