Categories: ଜାତୀୟ

ଶକରଗଡ଼ ଲଞ୍ଚପ୍ୟାଡ୍‌ରେ ଶହେରୁ ଅଧିକ ଆତଙ୍କବାଦୀ: ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର, ୭।୯: ଜମ୍ମୁ-କଶ୍ମୀରରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ସ୍ଥାନୀୟ ସାମ୍ବା କଠୁଆ ସେକ୍ଟର ସମ୍ମୁଖରେ ଥିବା ଶକରଗଡ଼ରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ପ୍ରୋତ୍ସାହନରେ ଶହେରୁ ଅଧିକ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି। ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଅନୁପ୍ରବେଶ ସୁଯୋଗ ସୃଷ୍ଟି କରିବାର ଉଦ୍ୟମ ଜାରି ରଖିଛି। ଏବେ ଶକରଗଡ଼ ଆତଙ୍କବାଦୀଙ୍କ ମୁଖ୍ୟ ତାଲିମ୍‌ କେନ୍ଦ୍ର ପାଲଟିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୋଇନ୍ଦା ବିଭାଗ ସୂଚନା ଆଧାରରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଶକରଗଡ଼ ଲଞ୍ଚ୍‌ପ୍ୟାଡ୍‌ରେ ତାଲିମ୍‌ ପାଇଁ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯାଉଥିବା ଗୋଇନ୍ଦା ବିଭାଗ କହିଛି। ଆତଙ୍କବାଦୀ କମାଣ୍ଡର ଭାରତୀୟ ନକ୍ସା ସମ୍ପର୍କରେ ଶିକ୍ଷା ଦେଉଛନ୍ତି। କିପରି କେଉଁ ସ୍ଥାନରେ ସହଜରେ ଆତଙ୍କବାଦୀ ଆକ୍ରମଣ କରାଯିବ ସେ ସମ୍ପର୍କରେ ତାଲିମ୍‌ ଦିଆଯାଉଛି। ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀ ସଂଗଠନରୁ ତାଲିମ୍‌ ନେଇ ଆସିବା ପରେ ଶକରଗଡ଼ରେ ସେମାନଙ୍କୁ ଆକ୍ରମଣ କରିବା ଲାଗି ପୁଣି ଶିକ୍ଷାଦାନ କରାଯାଉଛି। ଆତଙ୍କବାଦୀଙ୍କ ତାଲିମ ପ୍ରାପ୍ତ ଦଳ ଭାରତରେ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଲାଗି କାର୍ଯ୍ୟ କରୁଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୋଟିଏ ଦଳ ଅସ୍ତ୍ରଶସ୍ତ୍ର ଏବଂ ପାଣ୍ଠି ଯୋଗାଡ଼ କରୁଥିବାବେଳେ ଅନ୍ୟ ଦଳ ଆକ୍ରମଣର ବ୍ଲୂୁପ୍ରିଣ୍ଟ୍‌ ପ୍ରସ୍ତୁତି ଏବଂ ଗୋଳାବାରୁଦ ତିଆରି ସମ୍ପର୍କରେ ତାଲିମ୍‌ ପ୍ରଦାନ କରୁଛି। ପାକିସ୍ତାନ ରେଞ୍ଜର ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏହି ଦଳକୁ ଆବଶ୍ୟକ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ଉପକରଣ ଯୋଗାଇ ଦେଉଛନ୍ତି। ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ଶକରଗଡ଼ ଶିବିରରେ କରାଯାଉଥିବା ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି।

Share