ନୂଆଦିଲ୍ଲୀ,୧୨।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିବା ଜାରି ରହିଛି। ଏପରିସ୍ଥଳେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ନିଜ କବ୍ଜାରେ ତାଲିବାନ ଆତଙ୍କବାଦୀ ସଂଗଠନ ନେଇ ସାରିଛି। ତାଲିବାନ ସଂଗଠନ ସହିତ ଲଶ୍ମର-ଇ-ତୋଏବା ଏବଂ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀମାନେ ଏବେ ହାତ ମିଳାଇଛନ୍ତି। ଲଶ୍କର ଏବଂ ଜୈଶ୍ର ୧୦୦୦ରୁ ଅଧିକ ସଦସ୍ୟ ତାଲିବାନ ପ୍ରତି ନିଜର ସମର୍ଥନ ଜଣାଇ ଆଫଗାନିସ୍ତାନରେ ସରକାରୀ ସୈନ୍ୟ ବାହିନୀ ବିରୋଧରେ ଦେଶର ୩୭୫ ଜିଲାରୁ ୨୦୦ ଜିଲାରେ ଲଢ଼େଇ କରୁଛନ୍ତି। ଏହାଦ୍ୱାରା ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିର ଆଶଙ୍କା ସୃଷ୍ଟି ହୋଇଛି। ଜମ୍ମୁ-କଶ୍ମୀରରେ ଥିବା ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା( ଏଲଓସି)ରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ଆକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ସହିତ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଭାରତରେ ଲଶ୍ମର-ଇ-ତୋଏବା ଏବଂ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣ ଷଡ଼ଯନ୍ତ୍ର ରଚାଯାଉଥିବାରୁ ଆଫଗାନିସ୍ତାନ ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।