ଭୋକ ସହି ନ ପାରି ପ୍ରତିମାସରେ ୧୦ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି

ଜେନେଭା, ୨୮।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାଯୋଗୁ ଗରିବ ଲୋକେ କାମଧନ୍ଧା ପାଇପାରୁ ନାହାଁନ୍ତି। ସେମାନଙ୍କ ପାଖରେ ଟଙ୍କାର ଅଭାବ ସୃଷ୍ଟି ହୋଇଛି। ଫଳରେ ଏଭଳି ଲୋକେ ଖାଇବାକୁ ପାଉ ନ ଥିବା ଜାତିସଂଘ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବୟସ୍କମାନେ ଭୋକକୁ ସମ୍ଭାଳି ପାରୁଥିବାବେଳେ ଛୋଟ ପିଲାଙ୍କ ପାଇଁ ଭୋକ ଅସହ୍ୟ ହେଉଛି। ପ୍ରତିମାସରେ ପୃଥିବୀରେ ୧୦ ହଜାରରୁ ଅଧିକ ପିଲାଙ୍କର ଭୋକ ଯୋଗୁ ମୃତ୍ୟୁ ଘଟୁଛି। ସହର ତୁଳନାରେ ଗ୍ରାମାଞ୍ଚଳରେ ଏଭଳି ଘଟଣା ଅଧିକ ଘଟୁଥିବା ରିପୋର୍ଟ ଦର୍ଶାଯାଇଛି। ବଜାର ବନ୍ଦ ରହିବା ଯୋଗୁ ଗାଁର ଛୋଟ ଚାଷୀ ନିଜ ଫସଲ ବିକ୍ରି କରି ପାରୁ ନାହାଁନ୍ତି। ସେମାନଙ୍କର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଲାଟିନ୍‌ ଆମେରିକାଠାରୁ ଆରମ୍ଭ କରି ଦକ୍ଷିଣ ଏସିଆ ଏବଂ ସାହାରା ତଥା ଆଫ୍ରିକାରେ ଏଭଳି ଘଟଣା ଅଧିକ ଘଟିବାରେ ଲାଗିଥିବା ରିପୋର୍ଟ କୁହାଯାଇଛି। ସାହାରା ଏବଂ ଆଫ୍ରିକାରେ ଏଭଳି ଘଟଣା ଥମିବାର ନାଁ ଧରୁନିି। ସୁଦାନରେ ୯୬ରୁ ଅଧିକ ଲୋକ ଦିନରେ ଥରେ ଖାଇବାକୁ ପାଉଛନ୍ତି। ତାହା ପୁଣି ଅଳ୍ପ ପରିମାଣରେ ମିଳୁଥିବା ରିପୋର୍ଟରେ ଦର୍ଶାଯାଇଛି। ଖାଦ୍ୟର ଅଭାବ ଯୋଗୁ ପ୍ରତିମାସରେ ୫ ଲକ୍ଷ ୫୦ ହଜାରରୁ ଅଧିକ ଶିଶୁ କୁପୋଷଣର ଶିକାର ହେଉଛନ୍ତି। ସେହିପରି ଆଫଗାନିସ୍ତାନରେ ଜାନୁୟାରୀଠାରୁ ବର୍ତ୍ତମାନ ମଧ୍ୟରେ ଏଭଳି ଶିଶୁଙ୍କ ସଂଖ୍ୟା ୬ ଲକ୍ଷ ୯୦ ହଜାରରୁ ୭ଲକ୍ଷ ୮୦ ହଜାରରେ ପହଞ୍ଚିଛି।

Share