୧୧ଦିନରେ ୧୧ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୧୧ ଦିନରେ ଦେଶରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ପ୍ରତି ଦିନ ମୃତ୍ୟୁ ସଂଖ୍ୟା ହଜାରେରୁ ଅଧିକ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪ ହଜାର ୩୭୨ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ହଜାରେ ୧୧୪ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ୫୪ ହଜାର ୩୫୭ ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା ୭୮ହଜାର ୫୮୬ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୩୭ ଲକ୍ଷ ୨ ହଜାର ୫୯୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯ ଲକ୍ଷ ୭୩ ହଜାର ୧୭୫ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ସେପ୍ଟେମ୍ବର ୧୨ ସୁଦ୍ଧା ଦେଶରେ ୫ କୋଟି ୬୨ ଲକ୍ଷ ୬୦ ହଜାର ୯୨୮ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଶନିବାର ୧୦ ଲକ୍ଷ ୭୧ ହଜାର ୭୦୨ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share