୧୨୦୦ ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ହୁହୁ ହୋଇ ବଢ଼ୁଛି। ଶେଷ ୨୪ ଘଣ୍ଟାରେ ଆଉ ୧୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ଅନୁଗୋଳ ଓ ଗଜପତିରୁ ୩ଜଣ ଲେଖାଏ ଥିବାବେଳେ ମୟୂରଭଞ୍ଜ ଓ ଯାଜପୁରରୁ ୨ଜଣ ଲେଖାଏ, ପୁରୀ, ନବରଙ୍ଗପୁର, ଭଦ୍ରକ, ଢେଙ୍କାନାଳ, ମାଲକାନଗିରିରୁ ଜଣେ ଲେଖାଏ ରହିଛନ୍ତି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୨୧୪କୁ ବୃଦ୍ଧି ପାଇଛି।
ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହଁା ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୫ଦିନ ହେବ ୨ହଜାର ତଳେ ରହୁଛି। ଫଳରେ ଏହି ହାର ୪.୪%କୁ ଖସି ଆସିଛି। ଶେଷ ଦିନକରେ ୪୦,୭୩୩ ନମୁନା ପରୀକ୍ଷା ହୋଇଥିବାବେଳେ ୧,୭୯୩ ରିପୋର୍ଟ ପଜିଟିଭ୍‌ ଆସିଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨୦୮ଜଣ ଚିହ୍ନଟ ଥିବାବେଳେ କଟକ ୧୬୦, ଅନୁଗୋଳ ୧୦୭, ମୟୂରଭଞ୍ଜରୁ ଆଉ ୧୦୪ଜଣ ଆକ୍ରାନ୍ତ ହୋଇଛନ୍ତି। ବାକିସବୁ ଜିଲାରେ ସଂକ୍ରମିତ ସଂଖ୍ୟା ଶହେ ତଳକୁ ରହିଥିବାବେଳେ ବୌଦ୍ଧ ଜିଲାରେ ସର୍ବନିମ୍ନ ୪ଜଣ ରହିଛନ୍ତି। ଫଳରେ ରାଜ୍ୟରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚତ୍ଛି। ରାଜ୍ୟରେ ଏଯାବତ୍‌ ୪୨,୪୦,୨୪୧ ନମୁନା ପରୀକ୍ଷା ହୋଇଥିବାବେଳେ ୬.୫୫% ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Share