ବ୍ରହ୍ମପୁର ଅଫିସ,୨୮।୬: ଗଞ୍ଜାମ ଜିଲାର ୪ ଦିନିଆ ଶଟଡାଉନର ଦ୍ୱିତୀୟ ଦିନରେ ଅମାନିଆଙ୍କୁ ପୋଲିସ ଅଟକାଇ ଯାଞ୍ଚ କରିବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରିଛି । ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି ।
ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ସୁଦ୍ଧା ବ୍ରହ୍ମପୁର ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକ ମାନଙ୍କରେ ଚେକିଂ କରାଯାଇ ମାସ୍କ ପିନ୍ଧି ନ ଥିବା ୭୨ ଜଣ ଲୋକଙ୍କଠାରୁ ୧୪ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ।
ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୭୮ଜଣ ଅମାନିଆ ଗାଡ଼ି ଚାଳକଙ୍କୁ ୩୯ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି । ସେହିପରି ଶଟଡାଉନ ନିୟମ ଉଲ୍ଲଂଘନ ନେଇ ୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି । ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଥିବା ବେଳେ ଅଯଥାରେ ବାହାରେ ବୁଲୁଥିବା ୧୦ ଜଣ ଲୋକଙ୍କ ବିରୋଧରେ ପୋଲିସ ୪୧-ଏ ସିଆରପିସିରେ ନୋଟିସ ଦେଇଥିବା ବେଳେ ୫ ଜଣ ଲୋକଙ୍କୁ ପି.ଆର୍.ରିପୋଟ ଦେଇଛି। ଏନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ରବିବାର ଟୁଇଟ କରି ସୂଚନା ଦେଇଛନ୍ତି।