Categories: ଜାତୀୟ

୧୫୦ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲ-ଓ୍ବେବସାଇଟ ବ୍ୟାନ୍‌…

ନୂଆଦିଲ୍ଲୀ,୧୨।୬ : ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୫୦ରୁ ଅଧିକ ୱେବସାଇଟ ଏବଂ ୟୁଟ୍ୟୁବ ଆଧାରିତ ନ୍ୟୁଜ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛି। ୨୦୨୧ ମସିହାରୁ ଚାଲୁଥିବା ଏହି ୱେବସାଇଟଗୁଡିକ ଉପରେ ନିଷେଧାଦେଶ ସମ୍ପର୍କରେ ମନ୍ତ୍ରଣାଳୟ କହିଛି ଗତ ୨ ବର୍ଷ ଧରି ଏହି ପ୍ଲାଟଫର୍ମରେ ଭାରତ ବିରୋଧୀ ବିଷୟବସ୍ତୁ ଉପସ୍ଥାପିତ ହେଉଥିବାରୁ ଏହା କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଅଧିନିୟମର ଧାରା ୬୯-ଏର ଉଲ୍ଲଂଘନ ଯୋଗୁ ଏହି ୱେବସାଇଟ ଏବଂ ଚ୍ୟାନେଲଗୁଡ଼ିକୁ ହଟାଇ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏସମ୍ପର୍କରେ କହିଛନ୍ତି। ୟୁଟ୍ୟୁବ ଚ୍ୟାନେଲଗୁଡିକରେ ୧୨୧. ମିଲିୟନରୁ ଅଧିକ ଗ୍ରାହକ ଥିଲେ ଏବଂ ସମୁଦାୟ ୧୩୨୪.୨୬ ମିଲିୟନ ଭ୍ୟୁ ଥିଲା। ଅପସାରିତ ହୋଇଥିବା ଚ୍ୟାନେଲଗୁଡ଼ିକ ମଧ୍ୟରେ ଖବର ଓ୍ବିଥ ଫ୍ୟାକଟ୍ସ, ଖବର ତେଜ, ଇନଫରମେଶନ ହବ, ଫ୍ଲାସ ନାଓ, ମେରା ପାକିସ୍ଥାନ, ହକିକତ କି ଦୁନିୟା ଏବଂ ଆପନି ଦୁନିୟା ଆଦି ରହିଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ଅନେକ ୟୁଟ୍ୟୁବ ଚ୍ୟାନେଲକୁ ସମୟ ସମୟରେ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ମିଥ୍ୟା ଖବର ଏବଂ ବିଷୟବସ୍ତୁ ଉପସ୍ଥାପନ ନ କରିବାକୁ ଚେତାବନୀ ଦେଇଥିଲେ । ତେବେ ଏନେଇ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ମନ୍ତ୍ରଣାଳୟ ବର୍ତ୍ତମାନ ଏକ ପ୍ରମୁଖ ନିଷ୍ପତ୍ତି ନେଇଛି ଏବଂ ଏହିପରି ଚ୍ୟାନେଲଗୁଡ଼ିକୁ ହଟାଇ ଦେଇଛି। ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା, ଯେତେବେଳେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଥିଲେ ୨୦୨୧ ରୁ ୨୦୨୨ ମଧ୍ୟରେ ଏହିପରି ଚ୍ୟାନେଲ ଏବଂ ୟୁଟ୍ୟୁବ ଲିଙ୍କକୁ ଅବରୋଧ କରାଯାଇଛି ଯାହା ଭାରତ ବିରୋଧୀ ବିଷୟବସ୍ତୁ ପ୍ରସାର କରୁଥିଲା।
ଏଥିସହ ସେ କହିଥିଲେ ଯଦି କୌଣସି ସୋସିଆଲ ମିଡିଆ ଆକାଉଣ୍ଟ ଲୋକଙ୍କୁ ବିଭ୍ରାନ୍ତ କରୁଛି, ତେବେ ଏହାକୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିବ।

Share