ଭୁବନେଶ୍ୱର,୨୬।୭: ୧୭ ହଜାରରୁ ଅଧିକ ଶିକ୍ଷକ ପଦବୀ ରାଜ୍ୟରେ ଖାଲିପଡିଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୧୭ ହଜାର ୭୬୧ ଶିକ୍ଷକ ପଦବୀ ଖାଲି ଅଛି । ଏ ନେଇ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ଖୁବଶୀଘ୍ର ୧୬ ହଜାର ୫୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଷ୍ପତ୍ତି ନେଇଛନ୍ତି।
ବିଭିନ୍ନ ସ୍କୁଲର ନିଜସ୍ବ ଜମି ନ ଥିବା କଥା ମୁଖ୍ୟମନ୍ତ୍ରୀ ମୋହନ ମାଝି ଅବଗତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଏ ଦିଗରେ ଆଲୋଚନା କରିଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।
ଅନ୍ୟପକ୍ଷେ ରାଜ୍ୟରେ ୬୧୦ ବର୍ଗର ଉଚ୍ଚ ବିଦ୍ୟାଳୟ ଅଛି। ସେଗୁଡିକ ଅନୁଦାନପ୍ରାପ୍ତ ବିଦ୍ୟାଳୟ। ପ୍ରତି ପଞ୍ଚାୟତରେ ଥିବା ସ୍କୁଲଗୁଡିକ ଶିକ୍ଷକ ଅଭାବରୁ ବନ୍ଦ ହୋଇଯାଉଛି । ସେଗୁଡିକ କିପରି ଅପଗ୍ରେଡ୍ କରି ବଞ୍ଚାଇ ରଖାଯାଇପାରିବ । ସେଥିପ୍ରତି କି ପଦକ୍ଷେପ ସରକାର ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡ଼ି ବିଧାୟକ ବଦ୍ରି ପାତ୍ର । ଏହାର ଜବାବ ରଖି, ଏଥିପ୍ରତି ଦୃଷ୍ଟି ଦେବୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ।