ସମ୍ବଲପୁର,୨୩।୧୨(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଲୁନ୍ଦୁରୁଡିହି ଗ୍ରାମରେ ଦହି ଖାଇ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଜଣ ଅସୁସ୍ଥ ହୋଇଛନ୍ତି। ସେଥିରେ ୫ ଜଣ ଶିଶୁ ଥିବା ବେଳେ ୧୫ ଜଣ ମହିଳା ଓ ୫ରୁ ଉର୍ଦ୍ଧ୍ୱ ପୁରୁଷ ରହିଛନ୍ତି । ସେମାନଙ୍କୁ ପ୍ରଥମେ କୁନ୍ତୁରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଖାନାରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ନିକଟସ୍ଥ ଝଣ୍ଡା ଗ୍ରାମର ଜଣେ ବ୍ୟକ୍ତି ଗ୍ରାମକୁ ଦହି ବିକ୍ରି କରିବାକୁ ଆସୁଥିଲେ । କେତୋଟି ପରିବାର ଦହି କିଣି ମଧ୍ୟାହ୍ନ ଭୋଜନରେ ଖାଇଥିଲେ। ଦହି ଖାଇବା ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇ ଝାଡା, ବାନ୍ତି ହୋଇଥିଲା। ଦହି ଖାଇବାରୁ ଏଭଳି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।