Categories: ଜାତୀୟ

୫୧ ବର୍ଷ ପରେ ମହାରାଷ୍ଟ୍ର ସରକାରଙ୍କୁ ୨୦୦ରୁ ଅଧିକ ବିଧାୟକଙ୍କ ସମର୍ଥନ

ମୁମ୍ବାଇ, ୩ା୭(ପି.ଟି.): ଏନ୍‌ସିପି ନେତା ଅଜିତ ପାଓ୍ବାର ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ରାଜ୍ୟ ସରକାରଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କ ସଂଖ୍ୟା ୨୦୦ ଅତିକ୍ରମ କରିଛି, ଯାହାକି ଗତ ୫୧ ବର୍ଷ ମଧ୍ୟରେ ପ୍ରଥମ ଘଟଣା। ୧୯୭୨ରେ ମହାରାଷ୍ଟ୍ର ସରକାରଙ୍କ ପ୍ରତି ୨୦୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିଲା। ତେବେ ସମସ୍ତ ୨୨୨ ବିଧାୟକ କଂଗ୍ରେସର ଥିଲେ। ସେତେବେଳେ ବିଧାନସଭାରେ ମୋଟ ବିଧାୟକ ସଂଖ୍ୟା ୨୭୦ ରହିଥିଲା। ଅଜିତ ପାଓ୍ବାରଙ୍କ ପଛରେ ପ୍ରକୃତରେ କେତେ ବିଧାୟକଙ୍କ ସମର୍ଥନ ରହିଛି, ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ତାଙ୍କ ପ୍ରତି ୩୬ ଜଣଙ୍କ ସମର୍ଥନ ରହିଥିବା ତାଙ୍କ ଅନୁଗତ ବିଧାନ ପରିଷଦ ସଦସ୍ୟ ଅମୋଲ ମିଟ୍‌କାରୀ ଦାବି କରିଛନ୍ତି। ଯଦି ଏହା ସତ ହୋଇଥାଏ, ତେବେ ଶିବସେନା, ଭାଜପା ଏବଂ ଅଜିତଙ୍କ ସମର୍ଥକ ଏନ୍‌ସିପି ବିଧାୟକଙ୍କ ମୋଟ ସଂଖ୍ୟା ୧୮୧ ହେବ। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଭାଜପାର ୧୦୫ ବିଧାୟକ ଥିବାବେଳେ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ବିଧାୟକଙ୍କ ସଂଖ୍ୟା ୪୦। ଏହା ବ୍ୟତୀତ ସରକାରଙ୍କୁ ବହୁଜନ ବିକାଶ ଅଘାଡ଼ିର ୩ ବିଧାୟକ, ପ୍ରହାର ଜନଶକ୍ତି ପାର୍ଟିର ୨ ଜଣ, ରାଷ୍ଟ୍ରୀୟ ସମାଜ ପାର୍ଟି ଓ ଜନସୁରାଜ୍ୟ ଶାକ୍ରିର ଜଣେ ଲେଖାଏ ବିଧାୟକ ତଥା ୧୩ ଜଣ ସ୍ବାଧୀନ ବିଧାୟକ ସମର୍ଥନ କରୁଛନ୍ତି। ସମସ୍ତଙ୍କୁ ମିଶାଇଲେ ସରକାରଙ୍କ ପ୍ରତି ୨୦୧ ବିଧାୟକଙ୍କ ସମର୍ଥନ ରହିଛି।

Share