ଚିଲିକା ଭିତରେ ଫସି ରହିଲେ ୨୦୦ରୁ ଅଧିକ ଯାତ୍ରୀ

କୃଷ୍ଣପ୍ରସାଦ,୧୬ା୪(ଡି.ଏନ୍‌.ଏ.): ଚିଲିକାରେ ୪୦ରୁ ୫୦ ମିନିଟ୍‌ ଧରି ଫସି ରହିଥିଲେ ୨୦୦ରୁ ଅଧିକ ଯାତ୍ରୀ। ପ୍ରଶାସନ ହସ୍ତକ୍ଷେପ କରିବା ପରେ ଡଙ୍ଗା କୂଳରେ ଲାଗିବାକୁ ଅନୁମତି ମିଳିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଦେଉଳପଡ଼ାରେ ପଣାଯାତ୍ରା ଚାଲିଥିବାରୁ ପ୍ରତିବର୍ଷ ଏଠାକୁ ହଜାର ହଜାର ଲୋକ ଆସିଥାନ୍ତି। ଲୋକମାନେ ଜହ୍ନିକୁଦାରୁ ଡଙ୍ଗାରେ ସାତପଡ଼ା ଯାଇମେଳା ବୁଲିବାକୁ ଯାଇଥାନ୍ତି। ଆଜି ସକାଳେ ବହୁ ଲୋକ ଜହ୍ନିକୁଦାରୁ ଡଙ୍ଗାରେ ସାତପଡ଼ା ଯାଇଥିଲେ। ମାତ୍ର ସାତପଡ଼ାରେ ଡଙ୍ଗାରୁ ଯାତ୍ରୀଙ୍କୁ ଓହ୍ଲାଇବାକୁ ଦିଆଯାଇ ନ ଥିଲା। ଯେଉଁଥିପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଡଙ୍ଗା ଚାଳକ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଫେରି ଆସିଥିଲେ।

ଅପରାହ୍ନରେ ସାତପଡ଼ା ଯାଇଥିବା ଡଙ୍ଗାଗୁଡ଼ିକୁ ଜହ୍ନିକୁଦାର ଡଙ୍ଗା ଚାଳକମାନେ କୂଳରେ ଲଗାଇବାକୁ ଦେଇ ନ ଥିଲେ । ଫଳରେ ୨୦୦ରୁ ଅଧିକ ଯାତ୍ରୀ ଚିଲିକାରେ ଫସି ରହିଥିଲେ।  ଏନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ପୋଲିସ ବୁଝାଶୁଝା କରିବା ପରେ ଡଙ୍ଗା କୂଳରେ ଲାଗିଥିଲା। ଯାତ୍ରୀମାନେ ସୁରକ୍ଷିତ ଭାବେ ଓହ୍ଲାଇଥିଲେ।

Share