ଉଜ୍ଜୟନୀ,୧୬।୩: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। କରୋନା ମାର୍ଗଦର୍ଶିକା ପାଳନକୁ ପୁଣି ବାଧ୍ୟତାମୂଳକ କରାଯାଇଛି। ମାସ୍କ୍ ପିନ୍ଧିବା ଏବଂ ୨ ଗଜ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହାର ଉଲ୍ଲଂଘନ କରୁଥିବା ଅମାନିଆଙ୍କ ଉପରେ ଦଣ୍ଡବିଧାନ କରାଯାଉଛି। ଏହି ମର୍ମରେ ମଧ୍ୟପ୍ରଦେଶର ଉଜ୍ଜୟନୀରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାସ୍କ୍ ପିନ୍ଧି ନ ଥିବା ୨୦୦ରୁ ଅଧିକ ଅମାନିଆଙ୍କୁ ଗୋଟିଏ ଦିନ ମୁକ୍ତ କାରାଗାରରେ ରଖାଯାଇଛି। ଅମାନିଆଙ୍କୁ ଜରିମାନା ଦେବାକୁ କୁହାଯାଇ ଚାଲାଣ କଟାଯାଇଥିଲା। ତେବେ ଜରିମାନା ନ ଦେବାରୁ ସେମାନଙ୍କୁ ମୁକ୍ତ କାରାଗାର ପଠାଇ ଦିଆଯାଇଥିଲା। ସେଠାରେ କରୋନା ମାର୍ଗଦର୍ଶିକା ପାଳନ ପାଇଁ ସେମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।