ୟେମେନରେ ୨,୦୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି, ଜାତିସଂଘ ରିପୋର୍ଟ…

ଜେନେଭା, ୩୦।୧ : ୟେମେନରେ ହୌତି ବିଦ୍ରୋହୀମାନଙ୍କ ଯୋଗୁ ୨,୦୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁୂ ହୌତି ବିଦ୍ରୋହୀ ମାନେ ସଂଗଠନରେ ସାମିଲ କରିଥିଲେ। ବାଳୁତଙ୍କ ହାତରେ ବନ୍ଧୁକ ଧରାଇ ହୌତି ବିଦ୍ରୋହୀ ସେମାନଙ୍କୁ ଯୁଦ୍ଧ ଶିକ୍ଷା ଦେଉଥିବା ଅଭିଯୋଗ ହୋଇଛି। ଜାନୁୟାରୀ ୨୦୨୦ରୁ ମେ ୨୦୨୧ ମଧ୍ୟରେ ହୋଇଥିବା ଗୃହଯୁଦ୍ଧରେ ଶିଶୁମାନେ ନିହତ ହୋଇଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଇରାନ ସମର୍ଥିତ ହୌତି ବିଦ୍ରୋହୀମାନେ ଯୁବକ ଏବଂ ଶିଶୁମାନଙ୍କୁ ଯୁଦ୍ଧ କରିବାକୁ ଉତ୍ସାହିତ କରିବା ପାଇଁ ଲଗାତାର ଶିବିର ଆୟୋଜନ ଜାରି ରଖିଛନ୍ତି। ଜାତିସଂଘର ବିଶେଷଜ୍ଞମାନେ ଏକ ନୂତନ ରିପୋର୍ଟରେ ଏହି ସୂଚନା ଦେଇଛନ୍ତି।
ଜାତିସଂଘ ସୁରକ୍ଷା ପରିଷଦ କମିଟିର ଏକ ଚାରିଜଣିଆ ସଦସ୍ୟଙ୍କ ଏକ ରିପୋର୍ଟରେ ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନେ ଏକ ମସଜିଦଜ୍‌, କେତେକ ସ୍କୁଲ ଏବଂ କିଛି ଗ୍ରୀଷ୍ମ ଶିବିର ଯାଞ୍ଚ୍‌ କରିଥିଲେ। ସେଠାରେ ହୌତି ବିଦ୍ରୋହୀମାନେ ର୍ଟେନିଂ କ୍ୟାମ୍ପ୍‌ ଜାରି ରଖିଥିବା ଜଣାପଡ଼ିଥିଲା। ଏଥି ସହିତ ସେମାନେ ୟେମେନରେ ଜାରି ରହିଥିବା ୭ ବର୍ଷ ଧରି ଗୃହଯୁଦ୍ଧରେ ଶିଶୁଙ୍କ ନିଯୁକ୍ତି ବିଷୟରେ ମଧ୍ୟ ଅନୁସନ୍ଧାନ କରିଥିଲେ।

କମିଟି କହିଛି ଯେ ୨୦୨୦ ରେ ଯୁଦ୍ଧରେ ମୃତ୍ୟୁ ଘଟିଥିବା ହୌତି ବିଦ୍ରୋହୀମାନଙ୍କ ଦ୍ୱାରା ନିଯୁକ୍ତ ୧,୪୦୬ ପିଲାଙ୍କ ତାଲିକା ମିଳିଛି। ଏହା ବ୍ୟତୀତ, ଜାନୁୟାରୀରୁ ମେ’ ୨୦୨୧ ମଧ୍ୟରେ ମୃତ୍ୟୁ ଘଟିଥିବା ୫୬୨ ଶିଶୁଙ୍କର ଅନ୍ୟ ଏକ ତାଲିକା ମଧ୍ୟ ମିଳିଛି। ତାଲିକା ବ୍ୟତିତ ନିଯୁକ୍ତ ହୋଇଥିବା ଅନ୍ୟ ଶିଶୁଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share