ଦୁଇ ହଜାର ଜନସାଧାରଣଙ୍କ ଜୀବନ ନେଲାଣି ଯୁଦ୍ଧ

କ୍ୱିଭ,୨।୩: ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ୟୁକ୍ରେନରେ ଦୁଇ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ମୃତ୍ୟୁ ହୋଇଛି। ଯୋଗାଯୋଗ ବ୍ୟବସ୍ଥା, ହସ୍ପିଟାଲ୍ସ, ବାଳାଶ୍ରମ ଓ ଘର ନଷ୍ଟ କରି ଦିଆଯାଇଛି। ପ୍ରତି ଘଣ୍ଟାରେ ଶିଶୁ, ମହିଳା ଓ ପ୍ରତିରକ୍ଷା ସଦସ୍ୟ ପ୍ରାଣ ହରାଉଛନ୍ତି ବୋଲି ୟୁକ୍ରେନର ଜରୁରୀକାଳିନ ସେବା ପକ୍ଷରୁ ବୁଧବାର କୁହାଯାଇଛି। ଅନ୍ୟପକ୍ଷରେ ୬ ଦିନ ଯୁଦ୍ଧରେ ୬ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ହୋଇଛି ବୋଲି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି।

ୟୁକ୍ରେନର ସଦର୍ନ ରାଜ୍ୟର ରାଜଧାନୀ ଖେରସନ ସହରକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣକୁ ନେଇଥିବା ରୁଷିଆ ଦାବି କରିଥିବା ବେଳେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜେଲେନସ୍କିଙ୍କ ପରାମର୍ଶଦାତା ଓଲେକସି ଆରେଷ୍ଟୋଭିଚ। ସହର ଏପର୍ଯ୍ୟନ୍ତ ଆମ ନିୟନ୍ତ୍ରଣ ବାହାରକୁ ଯାଇ ନାହିଁ। ଆମ ପକ୍ଷ ଏବେ ବି ଏହାକୁ ରକ୍ଷା କରିବା ପାଇଁ ଲଢ଼ୁଥିବା ସେ କହିଛନ୍ତି।

Share