ପ୍ରଭାବିତ ହେବେ ୨୦ ହଜାରରୁ ଊର୍ଦ୍ଧ୍ୱ ପରିବାର

ଭୁବନେଶ୍ୱର, ୧।୬(ବ୍ୟୁରୋ):  ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରଚଳନ ପରଠାରୁ ନମ୍ବର ପ୍ଲେଟ କାମ ଦ୍ୱାରା ରୋଜଗାର କରୁଥିବା ରାଜ୍ୟର ସହସ୍ରାଧିକ ନମ୍ବର ପ୍ଲେଟ ଆର୍ଟିଷ୍ଟ ବେକାର ହୋଇଯାଇଛନ୍ତି। ଅଦ୍ୟାବଧି ସରକାରଙ୍କ ପକ୍ଷରୁ ସେମାନଙ୍କ ଜୀବିକା ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଅପରପକ୍ଷେ ନୂଆ ପରିବହନ ନୀତି ବ୍ୟବହାର ଫଳରେ କିଛି ପୁରୁଣା ଗାଡ଼ିର ନମ୍ବର ପ୍ଲେଟ ଲେଖି ଚଳୁଥିବା ଏହି ଶ୍ରମିକମାନଙ୍କ ହାତରୁ ରୋଜଗାର ଛଡ଼ାଇ ନିଆଯାଇଛି ବୋଲି ଓଡ଼ିଶା ନମ୍ବରପ୍ଲେଟ ଆଣ୍ଡ ଷ୍ଟିକରିଂ ଆର୍ଟିଷ୍ଟ ଆସୋସିଏଶନ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ଝିଣ୍ଟିକା ମାରି ବଣି ପୋଷିବା ନୀତିରେ ରାଜ୍ୟର ୨୦ ହଜାରରୁ ଊର୍ଦ୍ଧ୍ୱ ପରିବାର ଜୀବିକା ହରାଇ ବସିଛନ୍ତି। ଆସୋସିଏଶନ୍‌ ପକ୍ଷରୁ ମଙ୍ଗଳବାର ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସରକାରଙ୍କ ଏତାଦୃଶ ନିଷ୍ପତ୍ତିର ଦୃଢ ନିନ୍ଦା କରାଯାଇଛି। ଗାଡ଼ିରେ ଲାଗୁଥିବା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର କୌଣସି ସ୍ବଚ୍ଛତା ନାହିଁ। ନମ୍ବର ପ୍ଲେଟରେ ଦିଆଯାଇଥିବା ବାର୍‌କୋଡ୍‌ ଏବଂ ଚିପ୍‌କୁ ଲିଭେଇଲେ ଲିଭିଯାଉଛି। ଏହା କେବଳ ଜନସାଧାରଣଙ୍କୁ ଭୂଆଁ ବୁଲାଇ ଲୁଟ୍‌ କରାଯାଉଛି ବୋଲି ଆସୋସିଏଶନ ପକ୍ଷରୁ କୁହାଯାଇଛି। ଏଥିସହ ପ୍ରକୃତ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କାର୍ଯ୍ୟକାରୀ କରାଯାଇ ନମ୍ବର ପ୍ଲେଟ ପ୍ରଚଳନ ପାଇଁ ଆସୋସିଏଶନ ଦାବି କରିଛି। ନମ୍ବର ପ୍ଲେଟକୁ ଠିକାକାରଙ୍କ ପରିବର୍ତ୍ତେ ରାଜ୍ୟର ନମ୍ବର ପ୍ଲେଟ ଆର୍ଟିଷ୍ଟମାନେ ଏହି କାମ କିପରି ପାଇବେ ତାହାର ବନ୍ଦୋବସ୍ତ କରିବା ପାଇଁ ସରକାର ଓ ପରିବହନ ବିଭାଗ ନିକଟରେ ଦାବି କରାଯାଇଛି। ଏହି ଦାବି ପୂରଣ ଲାଗି ପଦକ୍ଷେପ ନିଆ ନ ଗଲେ ୨୦ ହଜାରରୁ ଊର୍ଦ୍ଧ୍ୱ ନମ୍ବର ପ୍ଲେଟ ଆର୍ଟିଷ୍ଟ ରାସ୍ତାକୁ ଓହ୍ଲାଇବେ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି। ସମ୍ମିଳନୀରେ ଉପଦେଷ୍ଟା ନାରାୟଣ ଚନ୍ଦ୍ର ଓଝା, ରଞ୍ଜନ ମିଶ୍ର, ସଭାପତି ରଣଜିତ ସିଂହ, ଉପସଭାପତି ଗଙ୍ଗାଧର ଡ଼ାକୁଆ, ସମ୍ପାଦକ ଶିବଶଙ୍କର ଡାକୁଆ, ଯୁଗ୍ମସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share