Categories: ଜାତୀୟ

ଅଗ୍ନିପଥ ଆନ୍ଦୋଳନରେ ରେଲଓ୍ବେର ଜଳିଲା ୨୫୯ କୋଟିରୁ ଅଧିକ ସମ୍ପତ୍ତି, ଭରଣା କରିବ କିଏ ?…

ନୂଆଦିଲ୍ଲୀ,୨୧।୭ : କେନ୍ଦ୍ରୀୟ ରେଳ ମନ୍ତ୍ରଣାଳୟ ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଯୋଗୁ ଚଳିତ ବର୍ଷ ଭାରତୀୟ ରେଲଓ୍ବେର ୨୫୯.୪୪ କୋଟି ଟଙ୍କାର ସମ୍ପତ୍ତି ଜଳିଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଅନ୍ୟାନ୍ୟ ଆନ୍ଦୋଳନ ଯୋଗୁଁ ରେଲଓ୍ବେ ୨୦୧୯ ରୁ ୨୦୨୧ ମଧ୍ୟରେ ୧,୧୧୭ କୋଟି ଟଙ୍କାର କ୍ଷତି ସହିଛି। ଲୋକ ସଭାର ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ୨୦୨୨ରେ ଅଗ୍ନିପଥ ଯୋଜନା ଯୋଗୁଁ ଆନ୍ଦୋଳନ ଯୋଗୁ ଟ୍ରେନ ବାତିଲ କାରଣରୁ ଜୁନ ୧୪ ରୁ ୩୦ ମଧ୍ୟରେ ଯାତ୍ରୀମାନଙ୍କୁ ପ୍ରାୟ ୧୦୨.୯୬ କୋଟି ଟଙ୍କା ଫେରସ୍ତ କରାଯାଇଛି।

ରେଲଓ୍ବେର ୨୦୧୯ରେ ୧୫୧ କୋଟି ଟଙ୍କାର କ୍ଷତି ସହିଥିବାବେଳେ, ୨୦୨୦ରେ ୯୦୪ କୋଟି ଏବଂ ୨୦୨୧ରେ ୬୨ କୋଟି କ୍ଷତି ସହିଛି। ତଥ୍ୟ ଅନୁଯାୟୀ, ରେଳ ସମ୍ପତ୍ତିର କ୍ଷତି ବିରୁଦ୍ଧରେ ୨୦୧୯ରେ ମୋଟ ୯୫ ମାମଲା, ୨୦୨୦ରେ ୩୦ ଏବଂ ୨୦୨୧ ରେ ୩୪ ଟି ମାମଲା ରୁଜୁ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସମସ୍ତ କ୍ଷୟକ୍ଷତି ଘଟଣାରେ ମାମଲା ରୁଜୁ ହୋଇଛି ଏବଂ ଦୋଷୀମାନଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ଗିରଫ କରାଯିବ। ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏହି ମାମଲାଗୁଡ଼ିକ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ସେ କହିଛନ୍ତି ଯେ ରେଳବାଇ ପୋଲିସ ଫୋର୍ସ (ଆରପିଏଫ), ରାଜ୍ୟ ପୋଲିସ ଏବଂ ରେଳବାଇ ପୋଲିସ ଅପରାଧକୁ ରୋକିବା, ମାମଲା ପଞ୍ଜିକରଣ କରିବା, ରେଳ ପରିସର ତଥା ଚଳନ୍ତା ଟ୍ରେନରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ନିୟମିତ ସମନ୍ବୟ ରକ୍ଷା କରୁଛନ୍ତି।

ବିହାର-ତେଲେଙ୍ଗାନାରେ ସବୁଠାରୁ ଅଧିକ କ୍ଷତି ହୋଇଛି। କ୍ଷୟକ୍ଷତିର ଆକଳନ ପାଇଁ ଏପର୍ଯ୍ୟନ୍ତ କୌଣସି ପୁନରୁଦ୍ଧାର କରାଯାଇ ନାହିଁ ବୋଲି ବିବୃତ୍ତିରେ କୁହାଯାଇଛି। ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ବିହାର ଏବଂ ତେଲେଙ୍ଗାନା ଅଧିକ କ୍ଷତିଗ୍ରସ୍ତ ହୋଇଛି। ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ବିରୋଧ ପ୍ରଦର୍ଶନ ସମୟରେ ପ୍ରାଣ ହରାଇଥିବା ଯାତ୍ରୀ ଏବଂ ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ।

Share