ଇରାନରେ ବିଷାକ୍ତ ମଦ ପିଇ ୨୬ରୁ ଅଧିକ ମୃତ

ତେହେରାନ, ୩।୧୦: ଇରାନରେ ମିଥାନୋଲ ମିଶ୍ରିତ ବିଷାକ୍ତ ମଦ ପିଇ ଅତି କମ୍‌ରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାନେଇ ଗୁରୁବାର ଦେଶର ସରକାରୀ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଇରାନର ମାଜନ୍ଦରାନ ଓ ଗିଲାନ୍‌ ରାଜ୍ୟ ଏବଂ ପଶ୍ଚିମ ଇରାନର ହମାଦାନ୍‌ ରାଜ୍ୟର ବିଭିନ୍ନ ସହରରେ ବିଷାକ୍ତ ମଦ ମୃତ୍ୟୁ ମାମଲା ସାମ୍‌ନାକୁ ଆସିଛି। ସେହିପରି ବିଷାକ୍ତ ମଦ ପିଇ ଶତାଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପ୍ରକାଶ ଯେ, ଇରାନରେ ୧,୯୭୯ରେ ଦେଖାଦେଇଥିବା ଇସ୍‌ଲାମିକ ବିପ୍ଳବ ପରେ କଠୋରପନ୍ଥୀ ଇସଲାମିକ୍‌ ସଙ୍ଗଠନକୁ ଶାସନ ଭାର ମିଳିଥିଲା। ଏହାପରେ ଇରାନରେ ମଦ୍ୟପାନକୁ ନିଷେଧ କରାଯାଇଥିଲା। ତେବେ ବିଭିନ୍ନ ରିପୋର୍ଟ ଅନୁଯାୟୀ, ସମ୍ପ୍ରତି ବହୁ ଇରାନବାସୀ ଚୋରାରେ ମଦ କିଣିଛୁନ୍ତି।

କିଛି ଲୋକ ବ୍ୟକ୍ତିଗତ ଭାବେ ଉପଭୋଗ କରିବା ପାଇଁ ଘରେ ମଧ୍ୟ ମଦ ପ୍ରସ୍ତୁତ କରୁଛନ୍ତି। ଗତ କିଛି ବର୍ଷ ହେବ ଦେଶରେ ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ୨୦୨୦ରେ ବିଷାକ୍ତ ମଦ ପିଇ ଇରାନର ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

 

Share