ଢ଼ାକା,୨୯।୬: ବାଲାଂଦେଶରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବୌରିଗଙ୍ଗା ନଦୀରେ ଏକ ନୌକା ବୁଡ଼ିଯିବାରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେକ ନିଖୋଜ ଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ୨୦ଜଣ ପୁରୁଷ, ୭ଜଣ ମହିଳା ଓ ୩ଶିଶୁ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମର୍ନିଂ ବୋର୍ଡ ନାମକ ଏକ ନୌକା ସକାଳ ସାଢ଼େ ୯ଟାରେ ମୁନ୍ଶିଗଞ୍ଜରୁ ସଦରଘାଟକୁ ଯାଉଥିଲା। ସେହି ସମୟରେ ମର୍ନିଂ ବୋର୍ଡ ନୌକାକୁ ଚାନ୍ଦପୁରରୁ ଆସୁଥିବା ଆଉ ଏକ ନୌକା ଧକ୍କା ଦେଇଥିଲା। ଫଳରେ ନୌକାଟି ଭାରସାମ୍ୟ ହରାଇ ନଦୀରେ ବୁଡ଼ିଯାଇଥିଲା। ଉକ୍ତ ନୌକାରେ ୧୦୦ଜଣ ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। କେତେକ ଲୋକ ପହଁରି ପହଁରି ନିଜ ଜୀବନ ବଞ୍ଚାଇଥିବା ବେଳେ ଆଉ କେତେକଙ୍କ ଏଯାଏଁ ପତ୍ତା ମିଳିପାରି ନାହିଁ। ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ରେସକ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।