ବିଲୁଆ ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ୱ ଆହତ

ପୋଲସରା,୫ା୧୧(ଡି.ଏନ.ଏ.): ଗତ କିଛି ଦିନ ହେଲା ପୋଲସରା ବ୍ଲକରେ ବିଲୁଆଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ବିଲୁଆ ଆକ୍ରମଣରେ ୩୦ରୁ ଊଦ୍ଧର୍‌ବ ଲୋକ ଆହତ ହୋଇଛନ୍ତି। ବ୍ଲକର ନିମିନା ଗ୍ରାମର ପଞ୍ଚୁ ଗୌଡ଼, ତନୁ ବେହେରା, ବଘାଡି ଗ୍ରାମର ବାସନ୍ତୀ ମହାପାତ୍ର, ଚନ୍ଦ୍ରମା ସାହୁ, ମାୟା ସାହୁ, ଗୋଠଳୀ ଗ୍ରାମର ଗୟାଚାନ୍ଦ ଗୌଡ଼, ରମେଶ ପରିଡ଼ା, ଡିମ୍ବିରିଆ ଗ୍ରାମର ଲକ୍ଷ୍ମୀ ସାହୁ, ବୁଢେଇଶୁଣୀରୁ ମାମି ପରିଡ଼ା ଓ ପଙ୍କଳବାଡି ଗ୍ରାମର ସନ୍ତୋଷୀ ସାହୁ ଭଳି ବିଭିନ୍ନ ଗ୍ରାମରୁ ୩୦ରୁ ଉଦ୍ଧର୍‌ବ ମହିଳା ଏବଂ ପୁରୁଷ ବିଲୁଆ ଆକ୍ରମଣରେ ରକ୍ତାକ୍ତ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଭୋରରୁ ନିଜ ବିଲ ବାଡ଼ିକୁ ଯାଉଥିବା ବହୁ ମହିଳା ଓ ପୁରୁଷଙ୍କୁ ବିଲୁଆ କାମୁଡ଼ି ଦେଇଥିଲା। ଗତ ଏକ ମାସ ମଧ୍ୟରେ ପୋଲସରାରୁ ପାଖାପାଖି ଶହେରୁ ଊଦ୍ଧର୍‌ବ ବ୍ୟକ୍ତି ବିଲୁଆ ଆକ୍ରମଣର ଶୀକାର ହୋଇଥିବା ପୋଲସରା ମେଡିକାଲର ମୁଖ୍ୟ ଚିକିତ୍ସା ଅଧିକାରୀ ନାରାୟଣ ସ୍ବାଇଁ ଓ ଫାର୍ମାସିଷ୍ଟ ଜ୍ଞାନେଶ୍ୱର ରାଓ କହିଛନ୍ତି। ସେହିପରି ବୁଲା କୁକୁରଙ୍କ ମଧ୍ୟ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ସ୍ଥାନୀୟ ବନ ବିଭାଗ ପକ୍ଷରୁ ସଚେତନତା ପୂର୍ବକ ହିଂସ୍ର ପାଲଟିଥିବା ବିଲୁଆ ଓ ପାଗଳା କୁକୁର ଧରି ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।