Categories: ଜାତୀୟ

କରୋନା ଯୋଗୁ ସ୍କୁଲ ଛାଡିଲେଣି ୩୦ ପ୍ରତିଶତ ପିଲା!

ନୂଆଦିଲ୍ଲୀ,୨୨ ।୭: ଦେଶରେ କେରାନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଯାହାର ପ୍ରଭାବ ଶିଶୁଙ୍କ ଉପରେ ଅଧିକ ରହିବ । ଏହି କରୋନା କାଳରେ ପ୍ରାୟ ୩୦ ପ୍ରତିଶତ ପିଲା ସ୍କୁଲ ଛାଡିଲେଣି ବୋଲି ଜଣାପଡିଛି । ଅଲ ଇଣ୍ଡିଆ ପ୍ୟାରେଣ୍ଟସ୍ ଆସେସିଏଶନ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି । ଏଥିରେ ଦର୍ଶାଯାଇଛି କି ଘରୋଇ ସ୍କୁଲରେ ପଢୁଥିବା ପ୍ରାୟ ୧୫ ପ୍ରତିଶତ ଛାତୀଛାତ୍ର ଓ ସରକାରୀ ସ୍କୁଲରେ ପଢୁଥିବା ପ୍ରାୟ ୩୦ ପ୍ରତିଶତ ଛାତ୍ରୀଛାତ୍ର କରୋନା ସମୟରେ ସ୍କୁଲ ଛାଡି ସାରିଲେଣି । ଆଇପାର ଅଧ୍ୟକ୍ଷ ଆଡଭୋକେଟ ଅଶୋକ ଅଗ୍ରୱାଲ କହିଛନ୍ତି, କରୋନା ମହାମାରୀ ସମୟରେ ସ୍କୁଲ ବନ୍ଦ ହୋଇଯାଇଛି । ପିଲାମାନଙ୍କୁ ଅନଲାଇନରେ ପାଠପଢା ଯାଉଛି । ହେଲେ ଏହି ସମୟ ମଧ୍ୟରେ ଯେଉଁ ପିଲାମାନେ ସହର ଛାଡି ଗାଁକୁ ପରିବାର ସହ ଚାଲିଯାଇଛନ୍ତି ଓ ସହରରେ ରହୁଥିବା କେତେକ ପିଲା ବି ସ୍କୁଲ ଛାଡି ଦେଇଥିବା ଜଣାପଡିଛି । ଏପରି ସ୍ଥଳେ ଆଗକୁ ବାଳ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି । ଅଗ୍ରୱାଲ କହିଛନ୍ତି ଯଦି ପ୍ରକୃତ ତଥ୍ୟ ବାହାର କରାଯାଏ ତେବେ ବାଳ ଶ୍ରମିକଙ୍କ ସଂଖ୍ୟା ଦୁଇଗୁଣା ହୋଇପାରେ ଯାହା କରୋନାଠାରୁ ବି ମାରାତ୍ମକ ବୋଲି ସେ କହିଛନ୍ତି ।

Share