ପ୍ରତିବର୍ଷ ଏମ୍‌ସକୁ ଆସୁଛନ୍ତି ୩ଶହରୁ ଊର୍ଦ୍ଧ୍ୱ ନୂଆ ଶିଶୁ କର୍କଟ ରୋଗୀ

ଭୁବନେଶ୍ୱର, ୧।୧୦(ଅସମାପିକା ସାହୁ)ଶିଶୁ କର୍କଟ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶନିବାର ଏମ୍‌ସ ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଯୋଗଦେଇ କହିଲେ, ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା ଯୋଗାଇ ଦେବାରେ ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ। ପ୍ରତିବର୍ଷ ଏହି ଜାତୀୟ ଅନୁଷ୍ଠାନକୁ ୨୫୦ରୁ ୩୫୦ ନୂତନ ଶିଶୁ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଦି ପଡ଼ୋଶୀ ରାଜ୍ୟରୁ ଆସୁଥିବା ଶିଶୁ କର୍କଟ ରୋଗୀଙ୍କୁ ମଧ୍ୟ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଏମ୍‌ସର ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗକୁ ବର୍ତ୍ତମାନ ସୁଦ୍ଧା ୧୨ଶହରୁ ଅଧିକ ଶିଶୁ କର୍କଟ ରୋଗୀ ଆସିଥିବା ଡା. ବିଶ୍ବାସ ସୂଚନା ଦେଇଛନ୍ତି।

ବିଭାଗୀୟ ଅତିରିକ୍ତ ପ୍ରଫେସର ଡା. ସୋନାଲି ମହାପାତ୍ର କହିଛନ୍ତି, ବିଭାଗ ପକ୍ଷରୁ ହେମାଟୋପିଏଟିକ୍‌ ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଛି। ଶିଶୁ କର୍କଟ ରୋଗ ଚିକିତ୍ସାର ଫଳାଫଳ ଗତ ୫୦ ବର୍ଷ ମଧ୍ୟରେ ୮୦-୯୦ ପ୍ରତିଶତ ଅଧିକ ବଞ୍ଚତ୍ବାର ଆଶା ଦେଇଛି। ବର୍ତ୍ତମାନ ଏହି ଜଟିଳ ରୋଗରେ ପୀଡ଼ିତ ୭୫-୮୦ ପ୍ରତିଶତ ଶିଶୁ କର୍କଟ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ। ଜଟିଳ ଲିମ୍ଫୋବ୍ଲାଷ୍ଟିକ୍‌ ଲ୍ୟୁକେମିଆ(ରକ୍ତ କର୍କଟ), ଲିମ୍ଫୋମା ଏବଂ ବୃକକ୍‌ ଟ୍ୟୁମର ଭଳି କେତେକ କର୍କଟରେ ବଞ୍ଚତ୍ବା ସମ୍ଭାବନା ୯୦ ପ୍ରତିଶତରୁ ଅଧିକ ରହିଥିବା ଡା. ମହାପାତ୍ର କହିଛନ୍ତି।

ଏଥିସହ ଶୈଶବ ଅବସ୍ଥାରେ ହେଉଥିବା କର୍କଟ ରୋଗର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି କରିବାକୁ ୱାକାଥନ୍‌, ରୋଗୀ/ମାତାପିତା ଏବଂ ଡାକ୍ତରଙ୍କ ସହିତ ଖୋଲା ଆଲୋଚନା ଭଳି ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମେଡିକାଲ୍‌ ଅଧୀକ୍ଷକ ଡା. ଦିଲୀପ କୁମାର ପରିଡ଼ା, ଡା. ଦେବାଶିଷ ସାହୁ, ଡା. କନିଷ୍କ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସେପ୍ଟେମ୍ବରକୁ ସାରା ବିଶ୍ୱରେ ଶିଶୁ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଇଥାଏ।

Share